ଅଧ୍ୟାୟ ୧ ଷଷ୍ଠ ପାଠ: ଭାରତ ସ୍ଵାଧୀନତା ଆଇନ, ଭାରତ ବିଭାଜନ ଓ ସ୍ୱାଧୀନତା – Book Q A Class 10 ଇତିହାସ
୧. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ।
(କ) କ୍ୟାବିନେଟ ମିଶନର ମୁଖ୍ୟ ପ୍ରସ୍ତାବ ଗୁଡ଼ିକ କ’ଣ ଥିଲା ?
ଉତ୍ତର: ୧୯୪୬ ମସିହାରେ ଭାରତ ଆସିଥିବା କ୍ୟାବିନେଟ୍ ମିଶନର ମୁଖ୍ୟ ପ୍ରସ୍ତାବଗୁଡ଼ିକ ଥିଲା: (୧) ବ୍ରିଟିଶ ଶାସିତ ପ୍ରଦେଶ ଓ ଦେଶୀୟ ରାଜ୍ୟମାନଙ୍କୁ ନେଇ ଏକ ସର୍ବଭାରତୀୟ ସଂଘ ଗଠନ କରାଯିବ। (୨) ଭାରତର ସମ୍ବିଧାନ ପ୍ରଣୟନ କରିବା ପାଇଁ ଭାରତୀୟମାନଙ୍କୁ ନେଇ ଏକ ସମ୍ବିଧାନ ପ୍ରଣୟନ ସଭା ଗଠନ କରାଯିବ। (୩) ନୂତନ ସମ୍ବିଧାନ ପ୍ରସ୍ତୁତ ନହେବା ପର୍ଯ୍ୟନ୍ତ ପ୍ରମୁଖ ରାଜନୈତିକ ଦଳଗୁଡ଼ିକୁ ନେଇ କେନ୍ଦ୍ରରେ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରାଯିବ।
(ଖ) କ୍ୟାବିନେଟ ମିଶନ ପ୍ରସ୍ତାବ ବିରୋଧରେ ମୁସ୍ଲିମ୍ ଲିଗ୍ର ପ୍ରତିକ୍ରିୟା କିପରି ପ୍ରକାଶ ପାଇଥିଲା ?
ଉତ୍ତର: କ୍ୟାବିନେଟ୍ ମିଶନ ପୃଥକ ପାକିସ୍ତାନ ଦାବିକୁ ଅଗ୍ରାହ୍ୟ କରିଦେଇଥିବାରୁ ମୁସ୍ଲିମ୍ ଲିଗ୍ ଘୋର ଅସନ୍ତୋଷ ପ୍ରକାଶ କରିଥିଲା। ଏହାର ପ୍ରତିବାଦରେ ଓ ନିଜର ଦାବି ହାସଲ କରିବା ପାଇଁ ମୁସ୍ଲିମ୍ ଲିଗ୍ ୧୯୪୬ ଅଗଷ୍ଟ ୧୬ ତାରିଖକୁ 'ପ୍ରତ୍ୟକ୍ଷ କାର୍ଯ୍ୟାନୁଷ୍ଠାନ ଦିବସ' (Direct Action Day) ଭାବେ ପାଳନ କରିବାକୁ ଡାକରା ଦେଇଥିଲା। ଏହା ଫଳରେ କଲିକତା ଓ ନୂଆଖାଲି ସମେତ ବିଭିନ୍ନ ଅଞ୍ଚଳରେ ଭୟାବହ ସାମ୍ପ୍ରଦାୟିକ ଦଙ୍ଗା ଓ ହତ୍ୟାକାଣ୍ଡ ଘଟିଥିଲା।
(ଗ) କେଉଁ ପରିସ୍ଥିତିରେ କ୍ଲିମେଣ୍ଟ ଅଟ୍ଲୀ ଭାରତର ସମ୍ଭାବ୍ୟ ସ୍ଵାଧୀନତା ସଂପର୍କରେ ଘୋଷଣା କଲେ ?
ଉତ୍ତର: ଭାରତରେ ସାମ୍ପ୍ରଦାୟିକ ଦଙ୍ଗା ଉଗ୍ର ରୂପ ଧାରଣ କରିବା, ମଧ୍ୟବର୍ତ୍ତୀକାଳୀନ ସରକାରରେ ମୁସ୍ଲିମ୍ ଲିଗ୍ର କ୍ରମାଗତ ଅସହଯୋଗ ମନୋଭାବ ଏବଂ ଭାରତୀୟମାନଙ୍କର ସ୍ୱାଧୀନତା ପାଇଁ ତୀବ୍ର ଆକାଂକ୍ଷା ଇତ୍ୟାଦିକୁ ଦୃଷ୍ଟିରେ ରଖି ଇଂଲଣ୍ଡର ତତ୍କାଳୀନ ପ୍ରଧାନମନ୍ତ୍ରୀ କ୍ଲେମେଣ୍ଟ ଅଟ୍ଲୀ ୧୯୪୭ ମସିହା ଫେବୃଆରୀ ୨୦ ତାରିଖରେ ଘୋଷଣା କଲେ ଯେ, ୧୯୪୮ ଜୁନ୍ ୩୦ ତାରିଖ ସୁଦ୍ଧା ଇଂରେଜମାନେ ଭାରତୀୟମାନଙ୍କୁ କ୍ଷମତା ହସ୍ତାନ୍ତର କରି ଭାରତ ଛାଡିବେ।
(ଘ) ମାଉଣ୍ଟବ୍ୟାଟେନ୍ଙ୍କ ଯୋଜନାରେ ଭାରତ ବିଭାଜନ ସମ୍ପର୍କରେ କ’ଣ ପ୍ରସ୍ତାବ ଥିଲା ?
ଉତ୍ତର: ୧୯୪୭ ଜୁନ୍ ୩ ତାରିଖର ମାଉଣ୍ଟବ୍ୟାଟେନ୍ ଯୋଜନାରେ ପ୍ରସ୍ତାବ ଥିଲା ଯେ: ଭାରତକୁ ବିଭକ୍ତ କରାଯାଇ ଦୁଇଟି ସ୍ୱାଧୀନ ରାଷ୍ଟ୍ର 'ଭାରତ' ଓ 'ପାକିସ୍ତାନ' ଗଠନ କରାଯିବ। ବେଙ୍ଗଲ ଓ ପଞ୍ଜାବ ପ୍ରଦେଶକୁ ହିନ୍ଦୁ ଓ ମୁସଲମାନ ବହୁଳ ଅଞ୍ଚଳ ଭିତ୍ତିରେ ବିଭାଜନ କରାଯିବ। ଉତ୍ତର-ପଶ୍ଚିମ ସୀମାନ୍ତ ପ୍ରଦେଶ ଓ ଆସାମର ସିଲହଟ୍ ଜିଲ୍ଲାରେ ଗଣଭୋଟ କରାଯିବ ଏବଂ ଦେଶୀୟ ରାଜ୍ୟମାନେ ନିଜ ଇଚ୍ଛା ଅନୁସାରେ ଯେକୌଣସି ରାଷ୍ଟ୍ରରେ ଯୋଗ ଦେଇପାରିବେ।
(ଡ) ଭାରତ ସ୍ଵାଧୀନତା ଆଇନ୍ର ମୁଖ୍ୟ ବ୍ୟବସ୍ଥାଗୁଡ଼ିକ କ’ଣ ଥିଲା ?
ଉତ୍ତର: ୧୯୪୭ ମସିହାର 'ଭାରତ ସ୍ୱାଧୀନତା ଆଇନ'ର ମୁଖ୍ୟ ବ୍ୟବସ୍ଥା ଥିଲା: (୧) ୧୯୪୭ ଅଗଷ୍ଟ ୧୫ ତାରିଖରେ ଭାରତ ଓ ପାକିସ୍ତାନ ନାମକ ଦୁଇଟି ସ୍ୱାଧୀନ ରାଷ୍ଟ୍ର ଗଠନ କରାଯିବ। (୨) ପ୍ରତ୍ୟେକ ରାଷ୍ଟ୍ରର ଶାସନ ପରିଚାଳନା ପାଇଁ ଜଣେ ଲେଖାଏଁ ଗଭର୍ଣ୍ଣର ଜେନେରାଲ ରହିବେ। (୩) ଦେଶୀୟ ରାଜ୍ୟଗୁଡ଼ିକ ଉପରୁ ବ୍ରିଟିଶ କ୍ଷମତାର ଅନ୍ତ ଘଟିବ ଏବଂ ନୂଆ ସମ୍ବିଧାନ ପ୍ରସ୍ତୁତ ନହେବା ଯାଏଁ ୧୯୩୫ ଆଇନ ଅନୁଯାୟୀ ଦେଶର ଶାସନ ଚାଲିବ।
୨. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ।
(କ) କ୍ୟାବିନେଟ ମିଶନ କାହିଁକି ଭାରତ ଆସିଥିଲେ ?
ଉତ୍ତର: ଭାରତକୁ ଶାନ୍ତିପୂର୍ଣ୍ଣ ଭାବେ କ୍ଷମତା ହସ୍ତାନ୍ତର କରିବା ପାଇଁ ନେତାମାନଙ୍କ ସହ ଆଲୋଚନା କରିବା ଏବଂ ସମ୍ବିଧାନ ପ୍ରଣୟନର ରୂପରେଖ ସ୍ଥିର କରିବାକୁ କ୍ୟାବିନେଟ ମିଶନ ଆସିଥିଲେ।
(ଖ) ଇଂଲଣ୍ଡର କେଉଁ ପ୍ରଧାନମନ୍ତ୍ରୀଙ୍କ ସମୟରେ କ୍ୟାବିନେଟ ମିଶନ ଭାରତକୁ ଆସିଥିଲେ ଏବଂ କେଉଁମାନେ ଏହାର ସଦସ୍ୟ ଥିଲେ ?
ଉତ୍ତର: ଇଂଲଣ୍ଡର ପ୍ରଧାନମନ୍ତ୍ରୀ କ୍ଲେମେଣ୍ଟ ଅଟ୍ଲୀଙ୍କ ସମୟରେ ମିଶନ ଆସିଥିଲା। ଏହାର ସଦସ୍ୟ ଥିଲେ ପେଥିକ୍ ଲରେନ୍ସ, ଷ୍ଟାଫୋର୍ଡ କ୍ରିପ୍ସ ଏବଂ ଏ.ଭି. ଆଲେକ୍ଜାଣ୍ଡାର।
(ଗ) ପ୍ରତ୍ୟକ୍ଷ କାର୍ଯ୍ୟ ଦିବସ କାହିଁକି ଏବଂ କେଉଁଦିନ ପାଳନ କରାଯାଇଥିଲା ?
ଉତ୍ତର: ନିଜର ପୃଥକ 'ପାକିସ୍ତାନ' ରାଷ୍ଟ୍ର ଦାବି ହାସଲ କରିବା ପାଇଁ ମୁସ୍ଲିମ୍ ଲିଗ୍ ୧୯୪୬ ଅଗଷ୍ଟ ୧୬ ତାରିଖ ଦିନ 'ପ୍ରତ୍ୟକ୍ଷ କାର୍ଯ୍ୟ ଦିବସ' ପାଳନ କରିଥିଲା।
(ଘ) ମଧ୍ୟବର୍ତ୍ତୀକାଳୀନ ସରକାର କେବେ ଗଠିତ ହୋଇଥିଲା ଏବଂ ମୁସ୍ଲିମ୍ ଲିଗ୍ କେବେ ଏଥିରେ ଯୋଗ ଦେଇଥିଲା ?
ଉତ୍ତର: ମଧ୍ୟବର୍ତ୍ତୀକାଳୀନ ସରକାର ୧୯୪୬ ମସିହା ସେପ୍ଟେମ୍ବର ୨ ତାରିଖରେ ଗଠିତ ହୋଇଥିଲା ଏବଂ ମୁସ୍ଲିମ୍ ଲିଗ୍ ପରେ ୧୯୪୬ ଅକ୍ଟୋବର ମାସରେ ଏଥିରେ ଯୋଗ ଦେଇଥିଲା।
(ଡ) ସାଂପ୍ରଦାୟିକ ଦଙ୍ଗା ନିବାରଣ କରିବା ପାଇଁ ମହତ୍ମାଗାନ୍ଧୀ କି ପଦକ୍ଷେପ ନେଇଥିଲେ ?
ଉତ୍ତର: ଦଙ୍ଗା ନିବାରଣ ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ମହାତ୍ମାଗାନ୍ଧୀ ଖାଲି ପାଦରେ ଦଙ୍ଗାଗ୍ରସ୍ତ ଅଞ୍ଚଳ (ଯଥା ନୂଆଖାଲି) ବୁଲି ଲୋକଙ୍କୁ ସଦ୍ଭାବନାର ବାର୍ତ୍ତା ଦେଇଥିଲେ।
(ଚ) ୧୯୪୭ ମସିହା ଫେବୃୟାରୀ ୨୦ ତାରିଖ ଦିନ ଅଟ୍ଲୀଙ୍କ ଘୋଷଣାର ତାତ୍ପର୍ଯ୍ୟ କ'ଣ ?
ଉତ୍ତର: ଏହାର ତାତ୍ପର୍ଯ୍ୟ ଥିଲା ଯେ ଇଂରେଜ ସରକାର ନିଶ୍ଚିତ ରୂପେ ୧୯୪୮ ଜୁନ୍ ୩୦ ସୁଦ୍ଧା ଭାରତୀୟମାନଙ୍କ ହାତରେ କ୍ଷମତା ଅର୍ପଣ କରି ଭାରତ ଛାଡିବେ।
(ଛ) ମାଉଣ୍ଟବ୍ୟାଟେନ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ କ’ଣ ଥିଲା ଏବଂ ଏହା କେବେ ଘୋଷିତ ହୋଇଥିଲା ?
ଉତ୍ତର: ମୁଖ୍ୟ ଉଦ୍ଦେଶ୍ୟ ଥିଲା ଭାରତକୁ ବିଭାଜନ କରି ଶାନ୍ତିପୂର୍ଣ୍ଣ ଭାବେ କ୍ଷମତା ହସ୍ତାନ୍ତର କରିବା ଏବଂ ଏହା ୧୯୪୭ ଜୁନ୍ ୩ ତାରିଖରେ ଘୋଷିତ ହୋଇଥିଲା।
(ଜ) ମାଉଣ୍ଟବ୍ୟାଟେନ୍ ଯୋଜନାରେ ଦେଶୀୟ ରାଜ୍ୟମାନଙ୍କ ପାଇଁ କ’ଣ ବ୍ୟବସ୍ଥା ଥିଲା ?
ଉତ୍ତର: ଏହି ଯୋଜନାରେ ଦେଶୀୟ ରାଜ୍ୟମାନଙ୍କୁ ସ୍ୱାଧୀନତା ଦିଆଯାଇଥିଲା ଯେ, ସେମାନେ ନିଜ ଇଚ୍ଛାରେ ଭାରତ ଅଥବା ପାକିସ୍ତାନ ସହ ମିଶିପାରିବେ।
(ଝ) ସ୍ଵାଧୀନ ପାକିସ୍ଥାନର ପ୍ରଥମ ଗଭର୍ଣ୍ଣର ଜେନେରାଲ୍ ଓ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ କିଏ ଶପଥ ଗ୍ରହଣ କରିଥିଲେ ?
ଉତ୍ତର: ସ୍ୱାଧୀନ ପାକିସ୍ଥାନର ପ୍ରଥମ ଗଭର୍ଣ୍ଣର ଜେନେରାଲ୍ ଭାବେ ମହମ୍ମଦ ଅଲ୍ଲୀ ଜିନ୍ନା ଏବଂ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଲିଆକତ୍ ଅଲ୍ଲୀ ଖାଁ ଶପଥ ଗ୍ରହଣ କରିଥିଲେ।
(ଞ) ଭାରତର ପ୍ରଥମ ସ୍ଵାଧୀନତା ଦିବସରେ କିଏ ଏବଂ କେଉଁଠାରେ ପତାକା ଉତ୍ତୋଳନ କରିଥିଲେ ?
ଉତ୍ତର: ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲା (Red Fort) ଠାରେ ପତାକା ଉତ୍ତୋଳନ କରିଥିଲେ।
୩. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।
(କ) କ୍ୟାବିନେଟ ମିଶନ କେବେ ଭାରତରେ ପହଞ୍ଚିଥିଲେ ?
ଉତ୍ତର: କ୍ୟାବିନେଟ୍ ମିଶନ ୧୯୪୬ ମସିହା ମାର୍ଚ୍ଚ ୨୪ ତାରିଖରେ ଭାରତରେ ପହଞ୍ଚିଥିଲେ।
(ଖ) ପ୍ରତ୍ୟକ୍ଷ କାର୍ଯ୍ୟଦିବସ ପାଳନ କରିବା ପାଇଁ କିଏ ଆହ୍ବାନ ଦେଇଥିଲେ ?
ଉତ୍ତର: ପ୍ରତ୍ୟକ୍ଷ କାର୍ଯ୍ୟଦିବସ ପାଳନ କରିବା ପାଇଁ ମୁସ୍ଲିମ୍ ଲିଗ୍ ନେତା ମହମ୍ମଦ ଅଲ୍ଲୀ ଜିନ୍ନା ଆହ୍ୱାନ ଦେଇଥିଲେ।
(ଗ) କିଏ କଲିକତା ହିଂସାକାଣ୍ଡକୁ 'ବିରାଟ କଲିକତା ହତ୍ୟାକାଣ୍ଡ' ଭାବେ ଅଭିହିତ କରିଥିଲେ ?
ଉତ୍ତର: ପୂର୍ବାଞ୍ଚଳର ତତ୍କାଳୀନ ସାମରିକ ଅଧ୍ୟକ୍ଷ ଲେଫ୍ଟନାଣ୍ଟ ଜେନେରାଲ ଫ୍ରାନ୍ସିସ୍ ଟକର (Francis Tuker) କଲିକତା ହିଂସାକାଣ୍ଡକୁ 'ବିରାଟ କଲିକତା ହତ୍ୟାକାଣ୍ଡ' ଭାବେ ଅଭିହିତ କରିଥିଲେ।
(ଘ) କିଏ ଭାରତର ମଧ୍ୟବର୍ତ୍ତୀକାଳୀନ ସରକାରର ନେତୃତ୍ୱ ନେଇଥିଲେ ?
ଉତ୍ତର: ଭାରତର ମଧ୍ୟବର୍ତ୍ତୀକାଳୀନ ସରକାରର ନେତୃତ୍ୱ ଜବାହରଲାଲ ନେହେରୁ ନେଇଥିଲେ।
(ଚ) ସମ୍ବିଧାନ ପ୍ରଣୟନ ସଭାର ପ୍ରଥମ ବୈଠକ କେବେ ବସିଥିଲା ?
ଉତ୍ତର: ୧୯୪୬ ମସିହା ଡିସେମ୍ବର ୯ ତାରିଖରେ।
(ଛ) ସମ୍ବିଧାନ ପ୍ରଣୟନ ସଭାର ସ୍ଥାୟୀ ସଭାପତି କିଏ ଥିଲେ ?
ଉତ୍ତର: ଡ଼. ରାଜେନ୍ଦ୍ର ପ୍ରସାଦ।
(ଜ) କେଉଁ ଠାରେ ଭାରତୀୟ ସମ୍ବିଧାନ ସଭାର ପ୍ରଥମ ବୈଠକ ବସିଥିଲା ?
ଉତ୍ତର: ନୂଆଦିଲ୍ଲୀ।
(ଝ) କ୍ୟାବିନେଟ ମିଶନର ଅନ୍ୟ ସଦସ୍ୟ କିଏ ଥିଲେ ?
ଉତ୍ତର: ପେଥିକ୍ ଲରେନ୍ସ, ଏ.ଭି. ଆଲେକଜାଣ୍ଡାର ଏବଂ ସାର ଷ୍ଟାଫୋର୍ଡ଼ କ୍ରିପ୍ସ୍।
(ଞ) ଦ୍ଵିତୀୟ ଗୋଲଟେବୁଲ ବୈଠକ କେବେ ଅନୁଷ୍ଠିତ ହୋଇଥିଲା ?
ଉତ୍ତର: ୧୯୩୧ ମସିହା ସେପ୍ଟେମ୍ବର ୭ ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ।
(ଟ) ଆଇନ ଅମାନ୍ୟ ଆନ୍ଦୋଳନର ମୂଳ ଲକ୍ଷ୍ୟ କ'ଣ ଥିଲା ?
ଉତ୍ତର: ପୂର୍ଣ୍ଣ ସ୍ଵରାଜ ହାସଲ କରିବା।
ବହୁବିକଳ୍ପୀୟ ପ୍ରଶ୍ନ (MCQ)
୪. ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥୁବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ ଲେଖ ।
(କ) କ୍ୟାବିନେଟ୍ ମିଶନ କେବେ ଭାରତକୁ ଆସିଥିଲେ ?
(i) ୧୯୪୭
(ii) ୧୯୪୮
(iii) ୧୯୪୬
(iv) ୧୯୪୫
-
ସଠିକ୍ ଉତ୍ତର: (iii) ୧୯୪୬
(ଖ) ସମ୍ବିଧାନ ପ୍ରଣୟନ ସଭାର ସ୍ଥାୟୀ ସଭାପତି ଭାବେ କିଏ ନିର୍ବାଚିତ ହୋଇଥିଲେ ?
(i) ସୁଭାଷ ଚନ୍ଦ୍ର ବୋଷ
(ii) ମହମ୍ମଦ ଅଲ୍ଲୀ ଜିନ୍ନା
(iii) ଡ଼. ରାଜେନ୍ଦ୍ର ପ୍ରସାଦ
(iv) ଜବାହରଲାଲ ନେହେରୁ
-
ସଠିକ୍ ଉତ୍ତର: (iii) ଡ଼. ରାଜେନ୍ଦ୍ର ପ୍ରସାଦ
ପ୍ରଶ୍ନ (ଗ): କିଏ ସମ୍ବିଧାନ ପ୍ରଣୟନ ସଭାର ଚିଠା ପ୍ରସ୍ତୁତି କମିଟିର ଚେୟାରମ୍ୟାନ୍ ଥିଲେ ?
(i) ଜବାହରଲାଲ ନେହେରୁ
(ii) ରାଜେନ୍ଦ୍ର ପ୍ରସାଦ
(iii) ବଲ୍ଲଭଭାଇ ପଟେଲ
(iv) ଆମ୍ବେଦକର
-
ସଠିକ୍ ଉତ୍ତର: (iv) ଆମ୍ବେଦକର
ପ୍ରଶ୍ନ (ଘ): କେଉଁ ତାରିଖ ସୁଦ୍ଧା ଭାରତକୁ କ୍ଷମତା ହସ୍ତାନ୍ତର କରିବା ପାଇଁ ଅଟ୍ଲି ଘୋଷଣା କରିଥିଲେ ?
(i) ୧୯୪୭ ସେପ୍ଟେମ୍ବର ୨୦
(ii) ୧୯୪୭ ଜୁନ ୩
(iii) ୧୯୪୭ ଅଗଷ୍ଟ ୧୫
(iv) ୧୯୪୮ ଜୁନ ୩୦
-
ସଠିକ୍ ଉତ୍ତର: (iv) ୧୯୪୮ ଜୁନ ୩୦
ପ୍ରଶ୍ନ (ଙ): କେବେ ଭାରତ ସ୍ୱାଧୀନତା ଆଇନ୍ ବ୍ରିଟିଶ୍ ପାର୍ଲାମେଣ୍ଟର ଅନୁମୋଦନ ଲାଭ କରିଥିଲା ?
(i) ୧୯୪୭ ସେପ୍ଟେମ୍ବର ୨୦
(ii) ୧୯୪୭ ଜୁନ ୩
(iii) ୧୯୪୭ ଜୁଲାଇ ୧୮
(iv) ୧୯୪୭ ଅଗଷ୍ଟ ୧୪
-
ସଠିକ୍ ଉତ୍ତର: (iii) ୧୯୪୭ ଜୁଲାଇ ୧୮