ଅଧ୍ୟାୟ ୨-ଦ୍ୱିତୀୟ ପାଠ: ଉତ୍କଳ ସମ୍ମିଳନୀର ଗଠନ – Book Q A Class 10 ଇତିହାସ
୧. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ
(କ) ‘ଉତ୍କଳ ସଭା’ ସମ୍ପର୍କରେ ଏକ ଟିପ୍ପଣୀ ଲେଖ ?
· ୧୮୮୨ ଅଗଷ୍ଟ ୧୬ ତାରିଖରେ ରାଧାନାଥ ରାୟ, ପ୍ୟାରୀମୋହନ ଆଚାର୍ଯ୍ୟ ଓ ଗୌରୀଶଙ୍କର ରାୟ ପ୍ରମୁଖଙ୍କ ଉଦ୍ୟମରେ କଟକଠାରେ ‘ଉତ୍କଳ ସଭା’ ଗଠିତ ହୋଇଥିଲା ।
· ଏହା ଓଡ଼ିଶାର ପ୍ରଥମ ସୁସଂଗଠିତ ରାଜନୀତିକ ଅନୁଷ୍ଠାନ ଥିଲା ।
· ଚୌଧୁରୀ କାଶୀନାଥ ଦାସ ଏହାର ପ୍ରଥମ ସଭାପତି ଓ ଗୌରୀଶଙ୍କର ରାୟ ସମ୍ପାଦକ ଥିଲେ ।
· ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସ୍ଥାନୀୟ ସ୍ୱାୟତ୍ତ ଶାସନ ଅନୁଷ୍ଠାନକୁ ସାହାଯ୍ୟ କରିବା ଓ ଜନକଲ୍ୟାଣ କାର୍ଯ୍ୟ କରିବା ।
(ଖ) ଉତ୍କଳ ସମ୍ମିଳନୀ କିପରି ଜନ୍ମ ଲାଭ କଲା ?
· ଗଞ୍ଜାମ ଜାତୀୟ ସଭାର ସଫଳତା ଓ ମଧୁସୂଦନ ଦାସଙ୍କ ଉଦ୍ୟମରେ ଓଡ଼ିଶାର ବିଚ୍ଛିନ୍ନାଞ୍ଚଳ ସମୂହର ଏକତ୍ରୀକରଣ ପାଇଁ ଏକ ବୃହତ୍ତର ଜାତୀୟ ଅନୁଷ୍ଠାନ ଗଢ଼ିବାର ଆବଶ୍ୟକତା ଅନୁଭବ ହେଲା ।
· କନିକା ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କ ଉତ୍ସାହରେ ମଧୁସୂଦନ ଦାସ କଟକଠାରେ ଏକ ସଭା ଆହ୍ୱାନ କଲେ ।
· ଏହି ସଭାରେ ଓଡ଼ିଶାର ଏକତ୍ରୀକରଣ ପାଇଁ ‘ଉତ୍କଳ ସମ୍ମିଳନୀ’ ନାମକ ଜାତୀୟ ଅନୁଷ୍ଠାନ ଗଠନ ପାଇଁ ନିଷ୍ପତ୍ତି ନିଆଗଲା ।
(ଗ) ଉତ୍କଳ ସମ୍ମିଳନୀର ଗଠନରେ କେଉଁ ଗଡ଼ଜାତ ରାଜାମାନେ ମଧୁସୂଦନଙ୍କୁ ସକ୍ରିୟ ସହଯୋଗ କରିଥିଲେ ?
· ୧୯୦୩ ମସିହାରେ ଗଡ଼ଜାତ ରାଜାମାନଙ୍କର ବାର୍ଷିକ ଅଧିବେଶନରେ ମୟୂରଭଞ୍ଜ ରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ଖଲ୍ଲିକୋଟ ରାଜା ଓ କନିକା ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ ମଧୁସୂଦନଙ୍କ ବିଚାରଧାରାକୁ ସମର୍ଥନ ଜଣାଇଥିଲେ ।
· ଏହାଛଡ଼ା ଢେଙ୍କାନାଳ ରାଜା ସୁରପ୍ରତାପ ମହେନ୍ଦ୍ର ବାହାଦୁର, କେନ୍ଦୁଝର ରାଜା ଧନୁର୍ଜୟ ନାରାୟଣ ଭଞ୍ଜଦେଓ, ଆଠଗଡ଼ ରାଜା ବିଶ୍ଵନାଥ ବେବର୍ତ୍ତା ପଟ୍ଟନାୟକ ଓ ତାଳଚେର ରାଜା କିଶୋର ଚନ୍ଦ୍ର ହରିଚନ୍ଦନ ସକ୍ରିୟ ସହଯୋଗ କରିଥିଲେ ।
(ଘ) ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନରେ କେଉଁ ଅଞ୍ଚଳର ଓ କେଉଁ ବର୍ଗର ସାଧାରଣ ଲୋକ ଯୋଗ ଦେଇଥିଲେ ଏବଂ ଏଠାରେ ମଧୁସୂଦନ କ’ଣ ଆହ୍ୱାନ ଦେଇଥିଲେ ?
· ପ୍ରଥମ ଅଧିବେଶନରେ ମାନ୍ଦ୍ରାଜ, କେନ୍ଦ୍ରୀୟ ପ୍ରଦେଶ ଓ ବଙ୍ଗଳାର ଓଡ଼ିଆ ପ୍ରତିନିଧି, ଗଡ଼ଜାତ ରାଜା, ଜମିଦାର, ଆଇନଜୀବୀ, ସରକାରୀ କର୍ମଚାରୀ, ବ୍ୟବସାୟୀ ଓ ଛାତ୍ରମାନେ ଯୋଗ ଦେଇଥିଲେ ।
· ମଧୁସୂଦନ ଦାସ ସବୁ ଓଡ଼ିଆ ଭାଇମାନଙ୍କୁ ‘ଉତ୍କଳ ସମ୍ମିଳନୀ’ର ମହାସିନ୍ଧୁରେ ନିଜ ପ୍ରାଣବିନ୍ଦୁ ମିଶାଇ ଦେବାପାଇଁ ଆହ୍ୱାନ ଦେଇଥିଲେ ।
· ସେ ଭାଷାଗତ ପାର୍ଥକ୍ୟ ବା ସାମ୍ପ୍ରଦାୟିକ ବିଦ୍ୱେଷ ଭୁଲି ଉତ୍କଳର ଉନ୍ନତି ପାଇଁ ସମସ୍ତ ଉତ୍କଳବାସୀଙ୍କୁ ଏକଜୁଟ ହେବାକୁ କହିଥିଲେ ।
(ଙ) ମଧୁସୂଦନ କାହିଁକି ଉତ୍କଳ ସମ୍ମିଳନୀ ତ୍ୟାଗ କଲେ ଏବଂ ପୁନଃସଂଗଠିତ ଉତ୍କଳ ସମ୍ମିଳନୀର କାର୍ଯ୍ୟ କ’ଣ ଥିଲା ?
· ୧୯୨୦ ମସିହାରେ ସିଂହଭୂମିର ଚକ୍ରଧରପୁରଠାରେ ଅନୁଷ୍ଠିତ ଅଧିବେଶନରେ ଉତ୍କଳ ସମ୍ମିଳନୀ କଂଗ୍ରେସର ଲକ୍ଷ୍ୟ ଓ ଆଦର୍ଶ ଗ୍ରହଣ କରିନେଲା ।
· ମଧୁବାବୁ ଅସହଯୋଗ ଆନ୍ଦୋଳନର ବିରୋଧୀ ଥିବାରୁ ସେ ସମ୍ମିଳନୀ ସହ ସମ୍ପର୍କ ତୁଟାଇଥିଲେ ।
· ୧୯୨୪ରେ ପୁନଃସଂଗଠିତ ହେବା ପରେ ଏହା ବିଭିନ୍ନ ଶାସନ ସଂସ୍କାର କମିଟି ଓ ସୀମା କମିଟିଗୁଡ଼ିକ ନିକଟରେ ସ୍ମାରକପତ୍ର ଓ ଦାବିପତ୍ର ଦାଖଲ କରିଥିଲା ।
୨. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ
· (କ) କେଉଁଠାରେ ଏବଂ କାହା ପ୍ରେରଣାରେ ଗଞ୍ଜାମ ଜାତୀୟ ସମିତି ଗଠିତ ହୋଇଥିଲା ?
ଉତ୍ତର ୧୯୦୩ ମସିହାରେ ଚିଲିକା ହ୍ରଦ କୂଳ ନିକଟସ୍ଥ ରମ୍ଭାଠାରେ ଖଲ୍ଲିକୋଟ ରାଜା ହରିହର ମର୍ଦ୍ଦରାଜ ଦେବଙ୍କ ପ୍ରେରଣାରେ ଏହି ସମିତି ଗଠିତ ହୋଇଥିଲା ।
· (ଖ) ମଧୁବାବୁ କ'ଣ ପାଇଁ ଏକ ବୃହତ୍ ଜାତୀୟ ଅନୁଷ୍ଠାନର ଆବଶ୍ୟକତା ଅନୁଭବ କଲେ ?
ଉତ୍ତର ବିଚ୍ଛିନ୍ନାଞ୍ଚଳ ସମୂହର ମିଶ୍ରଣ ଓ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଉତ୍କଳ ସଭାର ପରିସର ଅତି ସଂକୀର୍ଣ୍ଣ ଥିବାରୁ ସେ ବୃହତ୍ତର ଅନୁଷ୍ଠାନ ଲୋଡ଼ିଲେ ।
· (ଗ) ୧୯୦୩ରେ କେଉଁଠାରେ ‘ଉତ୍କଳ ସଭା’ର ଏକ ସଭା ଆହୂତ ହୋଇଥିଲା ଏବଂ କ’ଣ ନିଷ୍ପତ୍ତି ନିଆଯାଇଥିଲା ?
ଉତ୍ତର କଟକଠାରେ ଆହୂତ ସଭାରେ ଓଡ଼ିଶାର ବିଚ୍ଛିନ୍ନାଞ୍ଚଳକୁ ଏକତ୍ରୀକରଣ କରିବା ପାଇଁ ଏକ ଜାତୀୟ ଅନୁଷ୍ଠାନ ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।
· (ଘ) ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ପାଇଁ କେଉଁମାନେ ସଭାପତି ଓ ସମ୍ପାଦକ ଭାବେ ମନୋନୀତ ହୋଇଥିଲେ ?
ଉତ୍ତର ମୟୂରଭଞ୍ଜର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ସଭାପତି ଓ ମଧୁସୂଦନ ଦାସ ଅଭ୍ୟର୍ଥନା କମିଟିର ସମ୍ପାଦକ ଭାବେ ମନୋନୀତ ହୋଇଥିଲେ ।
· (ଙ) ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ କେବେ ଏବଂ କେଉଁଠାରେ ଅନୁଷ୍ଠିତ ହୋଇଥିଲା ?
ଉତ୍ତର ୧୯୦୩ ମସିହା ଡିସେମ୍ବର ୩୦ ଓ ୩୧ ତାରିଖରେ କଟକଠାରେ ଅନୁଷ୍ଠିତ ହୋଇଥିଲା ।
· (ଚ) ପ୍ରଥମ ଅଧିବେଶନରେ ଖଲ୍ଲିକୋଟ, କନିକା ଓ ମୟୂରଭଞ୍ଜର ରାଜାଙ୍କ ବ୍ୟତୀତ ଅନ୍ୟ କେଉଁ ରାଜାମାନେ ଯୋଗ ଦେଇଥିଲେ ?
ଉତ୍ତର ଢେଙ୍କାନାଳ, କେନ୍ଦୁଝର, ଆଠଗଡ଼ ଓ ତାଳଚେରର ରାଜାମାନେ ଯୋଗ ଦେଇଥିଲେ ।
· (ଛ) ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନରେ କେଉଁ ପ୍ରସ୍ତାବ ଗୃହୀତ ହୋଇଥିଲା ଏବଂ କ’ଣ ଅନୁମୋଦିତ ହୋଇଥିଲା ?
ଉତ୍ତର କଳା ଓ ସାହିତ୍ୟର ଉନ୍ନତି ପ୍ରସ୍ତାବ ଗୃହୀତ ହେଲା ଏବଂ ‘ରିସ୍ଲେ ସର୍କୁଲାର’କୁ ଅନୁମୋଦନ କରାଗଲା ।
· (ଜ) ଉତ୍କଳ ସମ୍ମିଳନୀର ଅଷ୍ଟମ ଅଧିବେଶନ କେଉଁଠାରେ ଅନୁଷ୍ଠିତ ହୋଇଥିଲା ଏବଂ ଏଠାରେ ମଧୁସୂଦନ ସରକାରଙ୍କ କେଉଁ ନିଷ୍ପତ୍ତିକୁ ବିରୋଧ କରିଥିଲେ ?
ଉତ୍ତର ବ୍ରହ୍ମପୁରରେ ଅନୁଷ୍ଠିତ ଅଧିବେଶନରେ ମଧୁବାବୁ ‘ବିହାରଉତ୍ତରଓଡ଼ିଶା ପ୍ରଦେଶ ଗଠନ’କୁ ବିରୋଧ କରିଥିଲେ ।
· (ଝ) ଉତ୍କଳ ସମ୍ମିଳନୀର ଦଶମ ଅଧିବେଶନ କେବେ ଏବଂ କେଉଁଠାରେ ଅନୁଷ୍ଠିତ ହୋଇଥିଲା ?
ଉତ୍ତର ୧୯୧୪ ମସିହା ଡିସେମ୍ବର ୨୬ ଓ ୨୭ ତାରିଖରେ ପାରଳାଖେମୁଣ୍ଡିଠାରେ ଅନୁଷ୍ଠିତ ହୋଇଥିଲା ।
· (ଞ) ୧୯୨୫ରେ ଉତ୍କଳ ସମ୍ମିଳନୀର ଅଧିବେଶନ କେଉଁଠାରେ ଏବଂ କାହା ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ?
ଉତ୍ତର କଟକଠାରେ କଳ୍ପତରୁ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।