📘

WithTeachers

Learning Together

© WithTeachers

Designed with for a better world.

ଜନନ – Book Q A Class 10 ଜୀବ ବିଜ୍ଞାନ


1. ଉଦ୍ଭିଦରେ ପରିଲକ୍ଷିତ ହେଉଥିବା ଅଲିଙ୍ଗୀଜନନ ବର୍ଣ୍ଣନା କର ।

ଉତ୍ତର: ଉଦ୍ଭିଦରେ ଅଲିଙ୍ଗୀ ଜନନ ମୁଖ୍ୟତଃ ଚାରି ପ୍ରକାରର ହୋଇଥାଏ:

ପ୍ରକାର

ବର୍ଣ୍ଣନା

ଉଦାହରଣ

୧. ବିଭାଜନ (Fission)

ଏଥିରେ କୋଷର ନ୍ୟଷ୍ଟି ଓ କୋଷଜୀବକ ବିଭାଜିତ ହୋଇ ଅପତ୍ୟ ଜୀବ ସୃଷ୍ଟି ହୁଅନ୍ତି । ଶୈବାଳ (ଯଥା- ସ୍ପାଇରୋଗାଇରା) ରେ ବହୁବିଭାଜନ ଦେଖାଯାଏ ।

ବୀଜାଣୁ, ସ୍ପାଇରୋଗାଇରା

୨. କଳିକନ (Budding)

ମାତୃକୋଷରୁ ଏକ କଳିକା ବା କୋରକ (Bud) ବାହାରି ବୃଦ୍ଧି ପାଏ ଓ ପରେ ମାତୃକୋଷରୁ ବିଚ୍ଛିନ୍ନ ହୋଇ ନୂତନ ଜୀବ ହୁଏ ।

ଇଷ୍ଟ୍ (Yeast)

୩. ରେଣୁଭବନ (Sporulation)

ଅପୁଷ୍ପକ ଉଦ୍ଭିଦରେ ରେଣୁ (Spore) ଦ୍ୱାରା ବଂଶବୃଦ୍ଧି ହୁଏ । ରେଣୁଗୁଡ଼ିକ ଅନୁକୂଳ ପରିବେଶରେ ଅଙ୍କୁରିତ ହୋଇ ନୂତନ ଉଦ୍ଭିଦ ସୃଷ୍ଟି କରନ୍ତି ।

ଛତୁ, ଫିମ୍ପି, ୟୁଲୋଥ୍ରିକସ୍

୪. ଅଙ୍ଗୀୟ ଜନନ (Vegetative Propagation)

ଉଦ୍ଭିଦର କାଣ୍ଡ, ମୂଳ ବା ପତ୍ରରୁ ନୂତନ ଉଦ୍ଭିଦ ସୃଷ୍ଟି ହେବାକୁ ଅଙ୍ଗୀୟ ଜନନ କୁହାଯାଏ ।

ଆଖୁ, ଗୋଲାପ, ଅମରପୋଇ



2. ସପୁଷ୍ପକ ଉଦ୍ଭିଦରେ ସମାୟନ ପ୍ରକ୍ରିୟାର ବିବରଣୀ ପ୍ରଦାନ କର । ଏହାର ବିଶେଷତ୍ଵ କ’ଣ ?

ଉତ୍ତର: ସମାୟନ ପ୍ରକ୍ରିୟା (Fertilization Process):

1.      ପରାଗଣ: ପରାଗରେଣୁ ଗର୍ଭଶୀର୍ଷରେ ପଡ଼ି ଅଙ୍କୁରିତ ହୁଏ ଏବଂ ପରାଗନଳୀ ସୃଷ୍ଟି କରେ ।

2.      ପୁଂଯୁଗ୍ମକ ସୃଷ୍ଟି: ପରାଗନଳୀ ମଧ୍ୟରେ ଜନନ କୋଷ ବିଭାଜିତ ହୋଇ ଦୁଇଟି ପୁଂଯୁଗ୍ମକ (Male gametes) ସୃଷ୍ଟି କରେ ।

3.      ଭ୍ରୂଣାଶୟରେ ପ୍ରବେଶ: ପରାଗନଳୀ ଡିମ୍ବାଶୟର ଭ୍ରୂଣାଶୟ ମଧ୍ୟରେ ପ୍ରବେଶ କରି ଦୁଇଟି ପୁଂଯୁଗ୍ମକକୁ ମୁକ୍ତ କରେ ।

4.      ଦ୍ୱି-ସମାୟନ (Double Fertilization):

·         ଗୋଟିଏ ପୁଂଯୁଗ୍ମକ ଡିମ୍ବାଣୁ (Egg cell) ସହ ମିଳିତ ହୋଇ ଯୁଗ୍ମଜ (Zygote - 2n) ଗଠନ କରେ ।

·         ଅନ୍ୟ ପୁଂଯୁଗ୍ମକଟି ଦ୍ୱିତୀୟକ ନ୍ୟଷ୍ଟି (Secondary nucleus) ସହ ମିଳିତ ହୋଇ ଭ୍ରୂଣପୋଷ ନ୍ୟଷ୍ଟି (Endosperm nucleus - 3n) ଗଠନ କରେ ।

ବିଶେଷତ୍ଵ: ସପୁଷ୍ପକ ଉଦ୍ଭିଦରେ ଦୁଇଥର ସମାୟନ (ଯୁଗ୍ମଜ ଗଠନ ଓ ଭ୍ରୂଣପୋଷ ଗଠନ) ଘଟୁଥିବାରୁ ଏହାକୁ ଦ୍ୱି-ସମାୟନ (Double Fertilization) କୁହାଯାଏ ।



3. ଏମିବାର ବହୁ ବିଭାଜନ ବର୍ଣ୍ଣନ କର ।

ଉତ୍ତର:

·         ପ୍ରତିକୂଳ ପରିବେଶ: ଖରାଦିନେ ପାଣି ଶୁଖିଗଲେ ବା ଅତ୍ୟଧିକ ଥଣ୍ଡା ହେଲେ ଏମିବା ନିଜ କୂଟପାଦ ପ୍ରତ୍ୟାହାର କରି ନିଜ ଚାରିପଟେ ଏକ କଠିନ ଆବରଣ ବା କୋଷ୍ଠିକା (Cyst) ତିଆରି କରେ ।

·         ନ୍ୟଷ୍ଟି ବିଭାଜନ: କୋଷ୍ଠିକା ମଧ୍ୟରେ ନ୍ୟଷ୍ଟି ବାରମ୍ବାର ବିଭାଜିତ ହୋଇ ୫୦୦-୬୦୦ ଛୋଟ ନ୍ୟଷ୍ଟି ସୃଷ୍ଟି କରେ ।

·         କୁନି ଏମିବା ସୃଷ୍ଟି: ପ୍ରତ୍ୟେକ ନ୍ୟଷ୍ଟି କିଛି କୋଷଜୀବକ ଦ୍ୱାରା ଆବୃତ ହୋଇ 'କୁନି ଏମିବା' ବା ଏମିବ୍ୟୁଲା (Amoebula) ରେ ପରିଣତ ହୁଏ ।

·         ସ୍ଫୋଟନ: ଅନୁକୂଳ ପରିବେଶ (ବର୍ଷାଦିନ) ରେ କୋଷ୍ଠିକା ଫାଟିଯାଏ ଏବଂ କୁନି ଏମିବାଗୁଡ଼ିକ ବାହାରକୁ ଆସି ବଢ଼ିଥାନ୍ତି । ଏହାକୁ ରେଣୁଭବନ ବା ସ୍ପୋରୁଲେସନ୍ (Sporulation) କୁହାଯାଏ ।




4. ହାଇଡ୍ରାର ଅଲିଙ୍ଗୀ ଜନନ କିପରି ହୋଇଥାଏ ଲେଖ ।

ଉତ୍ତର: ହାଇଡ୍ରାରେ କୋରକୋଦ୍‌ଗମ (Budding) ଦ୍ୱାରା ଅଲିଙ୍ଗୀ ଜନନ ହୋଇଥାଏ ।

1.      ସୁସ୍ଥ ହାଇଡ୍ରା ଶରୀରର ମଧ୍ୟଭାଗରେ କୋଷ ଏକାଠି ହୋଇ ଏକ ଛୋଟ ଆବୁ (Bud) ସୃଷ୍ଟି ହୁଏ । ଏହି ଅଞ୍ଚଳକୁ କୋରକୋଦ୍‌ଗମ ଅଞ୍ଚଳ କୁହାଯାଏ ।

2.      ଏହି ଆବୁ ବଢ଼ିବା ସହ ଏହାର ଅଗ୍ରଭାଗରେ ପାଟି ଓ କର୍ଷିକା (Tentacles) ସୃଷ୍ଟି ହୁଏ ।

3.      ଏହା ମାତୃ ହାଇଡ୍ରା ଦେହରେ ଲାଗିରହି ବଢ଼େ ଏବଂ ପୂର୍ଣ୍ଣାଙ୍ଗ ହେବା ପରେ ମାତୃ ଶରୀରରୁ ବିଚ୍ଛିନ୍ନ ହୋଇ ସ୍ୱାଧୀନ ଜୀବନଯାପନ କରେ ।



5. ମାନବ ପୁରୁଷ ଜନନତନ୍ତ୍ରର ଏକ ବିବରଣୀ ଦିଅ ।

ଉତ୍ତର: ପୁରୁଷ ଜନନ ତନ୍ତ୍ର ନିମ୍ନଲିଖିତ ମୁଖ୍ୟ ଅଂଶକୁ ନେଇ ଗଠିତ :

1.      ଶୁକ୍ରମୁଣି (Scrotal Sac): ଏହା ଶରୀର ବାହାରେ ଥାଏ ଏବଂ ଏହାର ତାପମାତ୍ରା ଶରୀର ଠାରୁ ୨°C କମ୍ ଥାଏ, ଯାହା ଶୁକ୍ରାଣୁ ଗଠନ ପାଇଁ ଆବଶ୍ୟକ ।

2.      ଶୁକ୍ରାଶୟ (Testis): ଏହା ଶୁକ୍ରମୁଣି ମଧ୍ୟରେ ଥାଏ । ଏଥିରେ ଥିବା ଶୁକ୍ରଜନନ ନଳିକା (Seminiferous tubules) ରୁ ଶୁକ୍ରାଣୁ ଉତ୍ପନ୍ନ ହୁଏ । ଏଥିରେ ଥିବା ଲେଡିଗ୍ କୋଷ (Leydig cells) ରୁ 'ଟେଷ୍ଟୋଷ୍ଟିରନ୍' ହରମୋନ୍ କ୍ଷରିତ ହୁଏ ।

3.      ଶୁକ୍ରବାହୀ ନଳୀ (Vas Deferens): ପ୍ରତ୍ୟେକ ଶୁକ୍ରାଶୟରୁ ବାହାରିଥିବା ଏହି ନଳୀ ଶୁକ୍ରାଣୁ ପରିବହନ କରି ମୂତ୍ରନଳୀ ସହ ମିଶେ ।

4.      ଶିଶ୍ନ (Penis): ଏହା ମୂତ୍ର ଓ ଶୁକ୍ର ନିଷ୍କାସନର ବାହ୍ୟ ଅଙ୍ଗ ।



6. ପରିବାର ନିୟୋଜନର ବିଭିନ୍ନ ପଦ୍ଧତିର ବିବରଣୀ ଦିଅ ।

ଉତ୍ତର: ପରିବାର ନିୟୋଜନ ପାଇଁ ଦୁଇ ପ୍ରକାର ପଦ୍ଧତି ଅବଲମ୍ବନ କରାଯାଏ:

(କ) ସ୍ଥାୟୀ ପଦ୍ଧତି (Permanent Method):

·         ଭାସେକ୍ଟୋମୀ (Vasectomy): ପୁରୁଷମାନଙ୍କର ଶୁକ୍ରବାହୀ ନଳୀକୁ କାଟି ବାନ୍ଧି ଦିଆଯାଏ ।

·         ଟ୍ୟୁବେକ୍ଟୋମୀ (Tubectomy): ମହିଳାମାନଙ୍କର ଡିମ୍ବବାହୀ ନଳୀକୁ କାଟି ବାନ୍ଧି ଦିଆଯାଏ ।

(ଖ) ଅସ୍ଥାୟୀ ପଦ୍ଧତି (Temporary Method):

·         ପ୍ରତିବନ୍ଧକ ପଦ୍ଧତି: କଣ୍ଡୋମ୍ ବା ନିରୋଧ ବ୍ୟବହାର ।

·         ହରମୋନ୍ ପଦ୍ଧତି: ଗର୍ଭନିରୋଧକ ବଟିକା (Oral pills) ସେବନ ।

·         ଅନ୍ତଃ ଗର୍ଭାଶୟ ପଦ୍ଧତି: କପର୍-ଟି (Copper-T) ବ୍ୟବହାର ।

·         ପ୍ରାକୃତିକ ପଦ୍ଧତି: ନିରାପଦ ସମୟ ପାଳନ ।



7. ସମବିଭାଜନ (ସୂତ୍ରାୟନ)ର ଏକ ବିବରଣୀ ଦିଅ ।

ଉତ୍ତର: ସମବିଭାଜନ ବା ମାଇଟୋସିସ୍ (Mitosis): ଏହା କାୟିକ କୋଷ (Somatic cell) ରେ ହୁଏ । ଏଥିରେ ଗୋଟିଏ ମାତୃକୋଷ ବିଭାଜିତ ହୋଇ ଦୁଇଟି ଅପତ୍ୟ କୋଷ ସୃଷ୍ଟି କରେ ଏବଂ ଗୁଣସୂତ୍ର ସଂଖ୍ୟା ସମାନ (2n) ରହେ ।

ପର୍ଯ୍ୟାୟ:

1.      ଆଦ୍ୟାବସ୍ଥା (Prophase): ଗୁଣସୂତ୍ର ସ୍ପଷ୍ଟ ଦେଖାଯାଏ, ନ୍ୟଷ୍ଟିଝିଲ୍ଲୀ ଅଦୃଶ୍ୟ ହୁଏ ।

2.      ମଧ୍ୟାବସ୍ଥା (Metaphase): ଗୁଣସୂତ୍ରଗୁଡ଼ିକ କୋଷର ମଧ୍ୟଭାଗ (Equatorial plane) କୁ ଚାଲିଆସନ୍ତି ।

3.      ଉତ୍ତରାବସ୍ଥା (Anaphase): ଗୁଣସୂତ୍ର କେନ୍ଦ୍ର ବିଭାଜିତ ହୋଇ ଅପତ୍ୟ ଗୁଣସୂତ୍ର ଦୁଇ ମେରୁ ଆଡ଼କୁ ଗତି କରେ । ଏହି ସମୟରେ ଗୁଣସୂତ୍ର 'V' ଆକାର ଧାରଣ କରେ ।

4.      ଅନ୍ତିମାବସ୍ଥା (Telophase): ଦୁଇଟି ନୂତନ ନ୍ୟଷ୍ଟି ଗଠିତ ହୁଏ ଏବଂ କୋଷଜୀବକ ବିଭାଜନ ଘଟି ଦୁଇଟି କୋଷ ସୃଷ୍ଟି ହୁଏ ।



8. ଅଦ୍ଧବିଭାଜନ (ଅର୍ଦ୍ଧାୟନ)ର ପ୍ରଥମ ବିଭାଜନ ବର୍ଣ୍ଣନ କର ।

ଉତ୍ତର: ଅଦ୍ଧବିଭାଜନ ବା ମିଓସିସ୍-I (Meiosis-I) ରେ ଗୁଣସୂତ୍ର ସଂଖ୍ୟା ଅଧା (2n ରୁ n) ହୋଇଯାଏ । ଏହାର ଅବସ୍ଥାଗୁଡ଼ିକ ହେଲା:

·         ଆଦ୍ୟାବସ୍ଥା-I: ଏହା ଦୀର୍ଘ ଓ ଜଟିଳ । ଏଥିରେ ୫ଟି ଉପାବସ୍ଥା ଥାଏ - ଲେପ୍ଟୋଟିନ, ଜାଇଗୋଟିନ (ଯୁଗଳ ବନ୍ଧନ/Synapsis ହୁଏ), ପାକିଟିନ (ପାରାନ୍ତରଣ/Crossing over ହୁଏ), ଡିପ୍ଲୋଟିନ ଓ ଡାଇଆକାଇନେସିସ୍ ।

·         ମଧ୍ୟାବସ୍ଥା-I: ଯୁଗଳ ଗୁଣସୂତ୍ର ମଧ୍ୟଭାଗରେ ସଜ୍ଜିତ ହୁଅନ୍ତି ।

·         ଉତ୍ତରାବସ୍ଥା-I: ଗୁଣସୂତ୍ର କେନ୍ଦ୍ର ବିଭାଜିତ ନ ହୋଇ ସମ୍ପୂର୍ଣ୍ଣ ଗୁଣସୂତ୍ର ବିପରୀତ ମେରୁକୁ ଯାଏ, ଫଳରେ ଗୁଣସୂତ୍ର ସଂଖ୍ୟା ଅଧା ହୁଏ ।

·         ଅନ୍ତିମାବସ୍ଥା-I: ଦୁଇଟି ଅପତ୍ୟ କୋଷ ସୃଷ୍ଟି ହୁଏ ଯେଉଁଥିରେ 'n' ସଂଖ୍ୟକ ଗୁଣସୂତ୍ର ଥାଏ ।



9. ସମବିଭାଜନ ଓ ଅଦ୍ଧବିଭାଜନ ତୁଳନା କର ।

ଉତ୍ତର:

ସମବିଭାଜନ (Mitosis)

ଅଦ୍ଧବିଭାଜନ (Meiosis)

1. ଏହା କାୟିକ କୋଷରେ ହୁଏ ।

1. ଏହା ଜନନ କୋଷ ସୃଷ୍ଟି ପାଇଁ ହୁଏ ।

2. ଗୋଟିଏ ମାତୃକୋଷରୁ 2ଟି ଅପତ୍ୟ କୋଷ ସୃଷ୍ଟି ହୁଏ ।

2. ଗୋଟିଏ ମାତୃକୋଷରୁ 4ଟି ଅପତ୍ୟ କୋଷ ସୃଷ୍ଟି ହୁଏ ।

3. ଗୁଣସୂତ୍ର ସଂଖ୍ୟା ସମାନ ରହେ (2n → 2n) ।

3. ଗୁଣସୂତ୍ର ସଂଖ୍ୟା ଅଧା ହୋଇଯାଏ (2n → n) ।

4. ପାରାନ୍ତରଣ (Crossing over) ହୁଏ ନାହିଁ ।

4. ପାରାନ୍ତରଣ (Crossing over) ହୁଏ ।



10. ସଂକ୍ଷେପରେ ଉତ୍ତର ଦିଅ ।

(କ) ଏଚ.ଆଇ.ଭି.ର ପୂରା ନାମ ଓ ବିଶେଷତ୍ଵ ଲେଖ ।

ଉତ୍ତର: ପୂରା ନାମ: Human Immunodeficiency Virus (HIV) । ବିଶେଷତ୍ଵ: ଏହା ଏକ ରେଟ୍ରୋଭାଇରସ୍ ଯାହାର ଆନୁବଂଶିକ ପଦାର୍ଥ ହେଉଛି RNA । ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି (T-lymphocyte) ନଷ୍ଟ କରିଦିଏ ।


(ଖ) ଅସମାୟିତ ଜନନ କ'ଣ ? 

ଉତ୍ତର: ସମାୟନ ବା ନିଷେକ ନ ହୋଇ ଡିମ୍ବାଣୁର ବୃଦ୍ଧି ଘଟି ଫଳ ସୃଷ୍ଟି ହେଲେ ତାହାକୁ ଅସମାୟିତ ଜନନ ବା ଅନିଷେକ ଜନନ (Parthenogenesis) କୁହାଯାଏ । ଉଦାହରଣ: ମଞ୍ଜିବିହୀନ କଦଳୀ ।


(ଗ) ଯୁଗ୍ମକଜନନର ପ୍ରାବସ୍ଥାଗୁଡ଼ିକର ନାମ କ’ଣ ? ଏଥୁରେ କି କି ମୁଖ୍ୟ ଘଟଣା ଘଟିଥାଏ ? 

ଉତ୍ତର: ଯୁଗ୍ମକଜନନର ତିନୋଟି ପ୍ରାବସ୍ଥା ଥାଏ:

1.      ପ୍ରଗୁଣନ ପ୍ରାବସ୍ଥା (Phase of Multiplication): ସମବିଭାଜନ ଦ୍ୱାରା କୋଷ ସଂଖ୍ୟା ବୃଦ୍ଧି ହୁଏ ।

2.      ବୃଦ୍ଧି ପ୍ରାବସ୍ଥା (Phase of Growth): କୋଷର ଆକାର ବୃଦ୍ଧି ହୋଇ ପ୍ରାଥମିକ ଜନନ କୋଷ ଗଠିତ ହୁଏ ।

3.      ପରିପକ୍ଵନ ପ୍ରାବସ୍ଥା (Phase of Maturation): ଅଦ୍ଧବିଭାଜନ ଦ୍ୱାରା ଯୁଗ୍ମକ (n) ସୃଷ୍ଟି ହୁଏ ।


(ଘ) ସ୍ପଞ୍ଜର ଅନ୍ତଃକୋରକୋଦ୍‌ଗମ ବର୍ଣ୍ଣନ କର ।

ଉତ୍ତର: ପ୍ରତିକୂଳ ପରିବେଶରେ ସ୍ପଞ୍ଜ ଶରୀର ଭିତରେ କୋଷ ଏକାଠି ହୋଇ କଠିନ ଆବରଣ ଥିବା ଜେମ୍ୟୁଲ୍ (Gemmule) ସୃଷ୍ଟି କରେ । ଅନୁକୂଳ ପରିବେଶରେ ଏଥିରୁ ନୂଆ ସ୍ପଞ୍ଜ ବାହାରେ ।


(ଙ) ଏମିବାର ବହୁବିଭାଜନ କିପରି ହୋଇଥାଏ ଲେଖ । 

ଉତ୍ତର: ପ୍ରତିକୂଳ ପରିବେଶରେ ଏମିବା କୋଷ୍ଠିକା ମଧ୍ୟରେ ନ୍ୟଷ୍ଟି ବିଭାଜନ କରି ଅନେକ 'କୁନି ଏମିବା' ସୃଷ୍ଟି କରେ, ଯାହା ପରେ ରେଣୁଭବନ ଦ୍ୱାରା ବାହାରକୁ ଆସନ୍ତି ।



11. ସଂକ୍ଷିପ୍ତ ଟିପ୍ପଣୀ ଲେଖ ।

(କ) ସମାୟନ (Fertilization): 

ପୁଂଯୁଗ୍ମକ ଓ ସ୍ତ୍ରୀଯୁଗ୍ମକର ମିଳନକୁ ସମାୟନ କୁହାଯାଏ । ସପୁଷ୍ପକ ଉଦ୍ଭିଦରେ ପରାଗନଳୀ ମାଧ୍ୟମରେ ପୁଂଯୁଗ୍ମକ ଆସି ଡିମ୍ବାଣୁ ସହ ମିଳିତ ହୁଏ ।


(ଖ) ପରିବାର ନିୟୋଜନର ଅସ୍ଥାୟୀ ପଦ୍ଧତି: 

ଗର୍ଭଧାରଣ ରୋକିବା ପାଇଁ ଅସ୍ଥାୟୀ ଉପାୟ ଯଥା- ନିରୋଧ (Condom), ଗର୍ଭନିରୋଧକ ବଟିକା (Pills), କପର-ଟି (Copper-T) ଏବଂ ପ୍ରାକୃତିକ ପଦ୍ଧତି ଅବଲମ୍ବନ କରାଯାଏ ।


(ଗ) ଗର୍ଭାଶୟ (Uterus): 

ଏହା ଏକ ଫମ୍ପା ଓ ପେଶୀବହୁଳ ଅଙ୍ଗ ଯାହା ଉଦର ଗହ୍ୱରର ନିମ୍ନ ଭାଗରେ ଥାଏ । ଏଠାରେ ଭ୍ରୂଣ ବୃଦ୍ଧିପ୍ରାପ୍ତ ହୋଇ ଶିଶୁରେ ପରିଣତ ହୁଏ । ଏହାର ତଳ ଅଂଶକୁ ଗ୍ରୀବା (Cervix) କୁହାଯାଏ ।


(ଘ) ଅଙ୍ଗବିକାଶ (Organogenesis):

ଗ୍ରାଷ୍ଟ୍ରୁଲାର ତିନୋଟି ଜାୟକ ସ୍ତର (Ectoderm, Mesoderm, Endoderm) ରୁ ଶରୀରର ବିଭିନ୍ନ ଅଙ୍ଗ (Organs) ଓ ଅଙ୍ଗସଂସ୍ଥାନ (Organ systems) ସୃଷ୍ଟି ହେବା ପ୍ରକ୍ରିୟାକୁ ଅଙ୍ଗବିକାଶ କୁହାଯାଏ ।


(ଙ) ଶୁକ୍ରମୁଣି (Scrotal sac): 

ପୁରୁଷ ଶରୀର ବାହାରେ ଥିବା ମୁଣି ଯେଉଁଥିରେ ଶୁକ୍ରାଶୟ ଥାଏ । ଏହାର ତାପମାତ୍ରା ଶରୀର ଠାରୁ ୨°C କମ୍ ଥାଏ ଯାହା ଶୁକ୍ରାଣୁ ଗଠନ ପାଇଁ ଜରୁରୀ ।




12. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

(କ) କାଲସ୍ କାହାକୁ କୁହାଯାଏ ?

ଉ: ଟିସୁ ପୋଷଣ ପଦ୍ଧତିରେ ଉତ୍ପନ୍ନ ହେଉଥିବା ପ୍ରାରମ୍ଭିକ ଅବିଭାଜିତ ଟିସୁ ସମୂହକୁ କାଲସ୍ (Callus) କୁହାଯାଏ ।


(ଖ) ଡିମ୍ବାଶୟରୁ କେଉଁ ହରମୋନ୍ କ୍ଷରିତ ହୁଏ ?

ଉ: ଡିମ୍ବାଶୟରୁ ଇଷ୍ଟ୍ରୋଜେନ୍ ଓ ପ୍ରୋଜେଷ୍ଟେରନ୍ ହରମୋନ୍ କ୍ଷରିତ ହୁଏ ।


(ଗ) ଅନୁକୂଳ ପରିବେଶରେ ଏମିବା କେଉଁ ପ୍ରକ୍ରିୟା ଦ୍ଵାରା ଜନନ କରିଥାଏ ? 

ଉ: ଅନୁକୂଳ ପରିବେଶରେ ଏମିବା ଦ୍ୱିବିଭାଜନ (Binary Fission) ଦ୍ୱାରା ଜନନ କରିଥାଏ ।


(ଘ) କେଉଁ ପରିବେଶରେ ହାଇଡ୍ରା କୋରକୋଦ୍‌ଗମ ଦ୍ଵାରା ଅଲିଙ୍ଗୀ ଜନନ କରେ ?

ଉ: ପରିବେଶ ଅନୁକୂଳ ଥିଲେ ଓ ପ୍ରଚୁର ଖାଦ୍ୟ ମିଳୁଥିଲେ ହାଇଡ୍ରା କୋରକୋଦ୍‌ଗମ କରେ ।


(ଙ) ଶୁକ୍ରାଶୟର କେଉଁ କୋଷ ଟେଷ୍ଟୋଷ୍ଟିରନ୍ କ୍ଷରଣ କରେ ? 

ଉ: ଶୁକ୍ରାଶୟର ଲେଡିଗ୍ କୋଷ (Leydig cell) ଟେଷ୍ଟୋଷ୍ଟିରନ୍ କ୍ଷରଣ କରେ ।


(ଚ) ଏଡସ୍ ରୋଗ ଚିହ୍ନଟର 2ଟି ଉପାୟ ଲେଖ । 

ଉ: ଏଡସ୍ ଚିହ୍ନଟ ପାଇଁ ELISA ଏବଂ Western Blotting ପରୀକ୍ଷା କରାଯାଏ ।


(ଛ) ଭ୍ରୂଣବନ୍ଧର କାର୍ଯ୍ୟ କ’ଣ ?

ଉ: ଭ୍ରୂଣବନ୍ଧ (Placenta) ମାଧ୍ୟମରେ ଭ୍ରୂଣ ମା’ ଶରୀରରୁ ଖାଦ୍ୟ ଓ ଅମ୍ଳଜାନ ଗ୍ରହଣ କରେ ଏବଂ ବର୍ଜ୍ୟବସ୍ତୁ ନିଷ୍କାସନ କରେ ।



13. ଶୂନ୍ୟସ୍ଥାନ ପୂରଣ କର ।

(କ) ଭ୍ରୂଣପୋଷର ଗୁଣସୂତ୍ର ସଂଖ୍ୟା 3n (ତ୍ରିଗୁଣିତ) ଅଟେ । 

(ଖ) ସମସ୍ତ ପ୍ରକାର କୋଷ ସୃଷ୍ଟି କରିପାରୁଥିବା କୋଷକୁ ସର୍ବପ୍ରସୂ କୋଷ (Totipotent cell) କୁହାଯାଏ ।

(ଗ) ଶୁକ୍ରମୁଣିର ତାପମାତ୍ରା ମାନବ ଶରୀରର ତାପମାତ୍ରା ଠାରୁ ପ୍ରାୟ 2°C ଡିଗ୍ରୀ କମ୍ । 

(ଘ) ସ୍ପାଇରୋଗାଇରା ବିଖଣ୍ଡନ (Fragmentation) / ବହୁବିଭାଜନ ଦ୍ୱାରା ବଂଶବିସ୍ତାର କରିଥାଏ । 

(ଙ) ଏଚଆଇଭିର ଆନୁବଂଶିକ ପଦାର୍ଥ RNA ଅଟେ । (ଚ) RNA ଥିବା ଭୂତାଣୁମାନଙ୍କୁ ରେଟ୍ରୋଭାଇରସ୍ (Retrovirus) କୁହାଯାଏ ।

(ଛ) ଏଡ୍‌ସ୍‌ରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଶରୀରରୁ ଟି-ଲିମ୍ଫୋସାଇଟ୍ (T-lymphocyte) ନାମକ ଶ୍ଵେତରକ୍ତକଣିକାର ସଂଖ୍ୟା ହ୍ରାସ ପାଏ ।



14. ପ୍ରଥମ ଦୁଇଟି ଶବ୍ଦର ସମ୍ପର୍କକୁ ଦେଖ୍ ତୃତୀୟ ସହ ସମ୍ପର୍କିତ ଶବ୍ଦଟି କ’ଣ ହେବ ଲେଖ ।

(i) ଯୁଗ୍ମକ : (n) :: ଯୁଗ୍ମଜ : (2n) 

(ii) ଭାସେକ୍ଟୋମୀ : ଶୁକ୍ରବାହୀ ନଳୀ :: ଟ୍ୟୁବେକ୍ଟୋମୀ : ଡିମ୍ବବାହୀ ନଳୀ (Fallopian tube) 

(iii) ଡିମ୍ବାଶୟ : ଡିମ୍ବାଣୁ :: ଶୁକ୍ରାଶୟ : ଶୁକ୍ରାଣୁ

(iv) ନଳୀନ୍ୟଷ୍ଟି : ପୁଂଯୁଗ୍ମକ :: ମେରୁ ନ୍ୟଷ୍ଟି : ଦ୍ୱିତୀୟକ ନ୍ୟଷ୍ଟି (Secondary Nucleus) / ଭ୍ରୂଣପୋଷ 

(v) ଚଳରେଣୁ : ୟୁଲୋଥ୍ରିକ୍ସ :: ଅଚଳରେଣୁ : ପେନିସିଲିୟମ୍ (Penicillium)



15. ଠିକ୍ ଉତ୍ତରଟି ବାଛି ଲେଖ (MCQ) :

(i) ଲେଡିଗ୍ କୋଷରୁ କେଉଁ ହର୍ମୋନ୍ କ୍ଷରିତ ହୁଏ ?

·         ଉତ୍ତର: ଟେଷ୍ଟୋଷ୍ଟିରନ୍‌

(ii) କେଉଁ ମସିହାରୁ ଭାରତରେ ପରିବାର ନିୟୋଜନ ଯୋଜନା କାର୍ଯ୍ୟକାରୀ ହୋଇଛି ?

·         ଉତ୍ତର: 1952

(iii) ସ୍ତ୍ରୀ ଜନନତନ୍ତ୍ରର କେଉଁ ସ୍ଥାନରେ ସମାୟନ ଘଟେ ?

·         ଉତ୍ତର: ଡିମ୍ବବାହୀ ନଳୀ (Fallopian tube)

(iv) ଶୁକ୍ରାଣୁ କେଉଁଠାରେ ତିଆରି ହୁଏ ?

·         ଉତ୍ତର: ସେମିନିଫେରସ୍ ନଳିକା (ଶୁକ୍ରଜନନ ନଳିକା)

(v) ଇଷ୍ଟ୍‌ରେ କେଉଁ ପ୍ରକାରର ଜନନ ଦେଖାଯାଏ ?

·         ଉତ୍ତର: କଳିକନ (Budding)