📘

WithTeachers

Learning Together

© WithTeachers

Designed with for a better world.
Class 10 ସାହିତ୍ୟ ସିନ୍ଧୁ
ଜନ୍ମଭୂମି-ଗଦ୍ୟ

ଜନ୍ମଭୂମି-ଗଦ୍ୟ – Book Q A Class 10 ସାହିତ୍ୟ ସିନ୍ଧୁ

ନିର୍ଦ୍ଦିଷ୍ଟ ଉତ୍ତରମୂଳକ

ପ୍ରଶ୍ନ ୧. ‘ଆୟୁସୂର୍ଯ୍ୟ’– ଏହାର ଠିକ୍ ବ୍ୟାସବାକ୍ୟଟି ଚିହ୍ନାଅ।

 (କ) ଆୟୁ ଓ ସୂର୍ଯ୍ୟ (ଖ) ଆୟୁ ରୂପକ ସୂର୍ଯ୍ୟ (ଗ) ଆୟୁର ସୂର୍ଯ୍ୟ (ଘ) ଆୟୁ ଅଟେ ସୂର୍ଯ୍ୟ

ଉତ୍ତର: (ଖ) ଆୟୁ ରୂପକ ସୂର୍ଯ୍ୟ


ପ୍ରଶ୍ନ ୨. ‘ଧର୍ମାନ୍ତର’– ଏହାର ବିଗ୍ରହବାକ୍ୟ କ’ଣ ହେବ ?

 (କ) ଧର୍ମ ଓ ଅନ୍ତର (ଖ) ଧର୍ମରୁ ଅନ୍ତର (ଗ) ଅନ୍ୟ ଧର୍ମ (ଘ) ଧର୍ମର ଅନ୍ତର

ଉତ୍ତର: (ଗ) ଅନ୍ୟ ଧର୍ମ


ପ୍ରଶ୍ନ ୩. ‘ପୁନର୍ଜନ୍ମ’ ଶବ୍ଦ ପାଇଁ ନିମ୍ନଲିଖୂତ ସନ୍ଧିରୁ ଠିକ୍ ସନ୍ଧିଟି ବାଛି ଲେଖ।

 (କ) ପୁନର + ଜନ୍ମ (ଖ) ପୁନ + ଜନ୍ମ (ଗ) ପୁନ + ର୍ଜନ୍ମ (ଘ) ପୁନଃ + ଜନ୍ମ

ଉତ୍ତର: (ଘ) ପୁନଃ + ଜନ୍ମ


ପ୍ରଶ୍ନ ୪. ‘ଶୁଷ୍କ’ ଶବ୍ଦଟି କିପରି ଗଠିତ ହୋଇଛି ?

 (କ) ଶୁଷ୍ + କ (ଖ) ଶୁଷ୍ + ତ (ଗ) ଶୁଶ୍ + ତ (ଘ) ଶୁଶ୍ + କ

ଉତ୍ତର: (କ) ଶୁଷ୍ + କ


ପ୍ରଶ୍ନ ୫. ନିମ୍ନୋକ୍ତ ଶବ୍ଦଗୁଡ଼ିକ ମଧ୍ୟରୁ ଶୁଦ୍ଧ ଶବ୍ଦଟି ବାଛ।

(କ) ଶାରିରୀକ (ଗ) ଶାରୀରିକ (ଖ) ଶାରୀରୀକ (ଘ) ଶାରିରିକ

ଉତ୍ତର: (ଗ) ଶାରୀରିକ


ପ୍ରଶ୍ନ ୬. ଗ୍ରାମ ମଧ୍ୟରେ ଏକପରିବାରତ୍ବର ପରମ୍ପରା ସ୍ୱରୂପ ନିମ୍ନଲିଖିତ ମଧ୍ଯରୁ ଯେଉଁ ଉକ୍ତିଟି ଗ୍ରହଣୀୟ ଲେଖ।

 (କ) ଲୋକଙ୍କୁ ଡାକି ଆଣି ମନବୋଧ ଚଉତିଶା ଆଦିର ବ୍ୟାଖ୍ୟା ଶୁଣାଇବା। (ଖ) ରଜ ପ୍ରଭୃତି ବିଭିନ୍ନ ପର୍ବ ମିଳିମିଶି ପାଳନ କରିବା। (ଗ) ଗ୍ରାମରେ ଜାତି ବର୍ଣ୍ଣ ନିର୍ବିଶେଷରେ ଭାଇ, ଭଉଣୀ, କକା, ଖୁଡ଼ୀ ଆଦି ଭାବରେ ସମ୍ପର୍କ ରଖୁବା। (ଘ) ପିଣ୍ଡାରେ ବସି ଗ୍ରାମକୁ ଆସୁଥିବା ଅତିଥିମାନଙ୍କୁ କୁଶଳ ଜିଜ୍ଞାସା କରିବା।

ଉତ୍ତର: (ଗ) ଗ୍ରାମରେ ଜାତି ବର୍ଣ୍ଣ ନିର୍ବିଶେଷରେ ଭାଇ, ଭଉଣୀ, କକା, ଖୁଡ଼ୀ ଆଦି ଭାବରେ ସମ୍ପର୍କ ରଖୁବା।


ପ୍ରଶ୍ନ ୭. ନିମ୍ନରେ ପ୍ରଦତ୍ତ ଶବ୍ଦଗୁଡ଼ିକର ବିପରୀତାର୍ଥବୋଧକ ଶବ୍ଦ ଲେଖ। (ବିଶାଳ, ସ୍ମରଣ, ଅସ୍ଵୀକାର, ଅବାଞ୍ଛିତ, ପ୍ରଶଂସା, ମଧୁର)

 ଉତ୍ତର: ବିଶାଳ x କ୍ଷୁଦ୍ର

ସ୍ମରଣ x ବିସ୍ମରଣ

 ଅସ୍ଵୀକାର x ସ୍ଵୀକାର

ଅବାଞ୍ଛିତ x ବାଞ୍ଛିତ

ପ୍ରଶଂସା x ନିନ୍ଦା

ମଧୁର x କଟୁ / ତିକ୍ତ


ପ୍ରଶ୍ନ ୮. ନିମ୍ନଲିଖୂତ ଶବ୍ଦଗୁଡ଼ିକୁ ଉପଯୁକ୍ତ ବାକ୍ୟରେ ପ୍ରୟୋଗ କର। (ଅଭିଜାତ, ପ୍ରତ୍ୟୟ, ସିକ୍ତ, ପ୍ରବଞ୍ଚନା, ଅକର୍ମା, ଶୀର୍ଶ୍ଵ) ଉତ୍ତର:

ଅଭିଜାତ: ଶିକ୍ଷିତ ଲୋକମାନେ ନିଜକୁ ଅଭିଜାତ ଶ୍ରେଣୀର ବୋଲି ମନେ କରନ୍ତି।

ପ୍ରତ୍ୟୟ: ଗୋବିନ୍ଦା ଭାଇଙ୍କର ପୂର୍ବ ପ୍ରତ୍ୟୟ ଲେଖକ ଆଉ ଫେରି ପାଇଲେ ନାହିଁ। 

ସିକ୍ତ: ବର୍ଷା ବାରିପାତରେ ପଲ୍ଲୀଭୂମି ସିକ୍ତ ହୋଇଗଲା।

ପ୍ରବଞ୍ଚନା: କୃଷ୍ଣ ପ୍ରବଞ୍ଚନା କରି ଗୋପପୁର ଛାଡ଼ି ଆସିଥିଲେ ବୋଲି ଲେଖକ କହିଛନ୍ତି।

ଅକର୍ମା: ଗୋବିନ୍ଦା ଭାଇ ଆଜୀବନ ଅକର୍ମା ଓ ଅବିବାହିତ ରହିଥିଲେ। 

ଶୀର୍ଶ୍ଵ: ଗ୍ରାମରେ ଶୀର୍ଶ୍ଵ, ମଳିନ, ଉଲଗ୍ନ ଶିଶୁମାନଙ୍କ ସମାବେଶ ଦେଖାଯାଏ।


ପ୍ରଶ୍ନ ୯. ପାଦରେ ଦଳିଦେବା, ପାର ପାଇବା, କଣ୍ଟ କରିବା : ଏହି ରୂଢ଼ିଗୁଡ଼ିକୁ ବାକ୍ୟରେ ବ୍ୟବ‌ହାର କର। ଉତ୍ତର:

ପାଦରେ ଦଳିଦେବା: ମାନବର ସମସ୍ତ ନୀତିକୁ ପାଦରେ ଦଳି ଦେଇ ଲୋକେ ଧନୀ ହେବାକୁ ଚେଷ୍ଟା କରନ୍ତି। ପାର ପାଇବା: ଏହି ଅନୈତିକତାରୁ କୃଷ୍ଣଙ୍କ ପରି ମହାପୁରୁଷ ସୁଦ୍ଧା ପାର ପାଇ ନ ଥିଲେ କଣ୍ଟ କରିବା: କୃଷ୍ଣ ତିନି ଦିନକୁ କଣ୍ଟ କରି ମଥୁରାକୁ ଚିରଦିନ ପାଇଁ ଚାଲିଗଲେ।


ପ୍ରଶ୍ନ ୧୦. ଶ୍ରମକୁ ଯେ ଜୀବନ ଧାରଣର ପନ୍ଥା ବୋଲି ଗ୍ରହଣ କରନ୍ତି, ତାଙ୍କୁ କୁହାଯାଏ ଶ୍ରମଜୀବୀ। ସେହିଭଳି ଶେଷରେ ଜୀବୀ ଥିବା ଆଉ ୫ଟି ଶବ୍ଦ ଲେଖ।

 ଉତ୍ତର: ବୁଦ୍ଧିଜୀବୀ, କର୍ମଜୀବୀ, ପରଜୀବୀ, ମତ୍ସ୍ୟଜୀବୀ, କୃଷିଜୀବୀ


ପ୍ରଶ୍ନ ୧୧. ବାମ ପାଖରେ ଥିବା ଶବ୍ଦ ସହ ଡାହାଣ ପାଖରେ ଥିବା ଉପଯୁକ୍ତ ଶବ୍ଦକୁ ଯୋଡ଼ି ସ୍ଵତନ୍ତ୍ର ବାକ୍ୟରେ ପ୍ରୟୋଗ କର। ଉତ୍ତର: ଶସ୍ୟଶ୍ୟାମଳା ଧରଣୀ ସ୍ତୂପୀକୃତ ମେଘ ସ୍ଵର୍ଣ୍ଣଶୀର୍ଷ ଧାନ୍ୟ ଯୁକ୍ତିବାଦୀ ଜୀବ ଅଭ୍ରଂକଷ ପ୍ରାସାଦ ଅହେତୁକ ବ୍ୟଥା ଦୋଳାୟମାନ ପଦପଲ୍ଲବ ଆହବର ରକ୍ତ

୨. କ୍ଷୁଦ୍ର ଉତ୍ତର ମୂଳକ ପ୍ରଶ୍ନ 

ପ୍ରଶ୍ନ ୧୨. ଲେଖକ ଜନ୍ମଭୂମି ପଲ୍ଲୀକୁ ନିଜର ମା’ ବୋଲି ଭାବିଛନ୍ତି କାହିଁକି ?

ଉତ୍ତର: କାରଣ ମାତୃଗର୍ଭରୁ ପଡ଼ି ଲେଖକ ସେହି ପଲ୍ଲୀରେ ପ୍ରଥମେ ଭୂମି ସ୍ପର୍ଶ କଲେ ଏବଂ ବିପଦ ସମୟରେ ସେହି ପଲ୍ଲୀ ହିଁ ଫଳ, ପୁଷ୍ପ, ଶାକ, ତଣ୍ଡୁଳ ଦେଇ ତାଙ୍କ ଶିଶୁପ୍ରାଣକୁ ପରିପୁଷ୍ଟ କଲା। ତେଣୁ ସେ ପଲ୍ଲୀକୁ ତାଙ୍କର ମାତା ବୋଲି କହିଛନ୍ତି।


ପ୍ରଶ୍ନ ୧୩. ଜନ୍ମଭୂମିକୁ ଧାତ୍ରୀ ଓ ଶିକ୍ଷୟିତ୍ରୀ କହିବାର କାରଣ କ'?

ଉତ୍ତର: ଲେଖକ ତାଙ୍କ ପଲ୍ଲୀ ଜନ୍ମଭୂମିରେ ରୂପ, ରସ, ଗନ୍ଧ, ସ୍ପର୍ଶର ପ୍ରଥମ ପରିଚୟ ପାଇଥିବାରୁ ତାହା ତାଙ୍କର ଶିକ୍ଷୟିତ୍ରୀ ଅଟେ। ସେହିପରି, ପଲ୍ଲୀମାଟି ବିପଦ ସମୟରେ ଫଳ, ପୁଷ୍ପ, ଶାକ, ତଣ୍ଡୁଳ ଆଦି ଦେଇ ଶିଶୁପ୍ରାଣକୁ ପରିପୁଷ୍ଟ କରିଥିବାରୁ ତାହା ତାଙ୍କର ଧାତ୍ରୀ ଅଟେ।


ପ୍ରଶ୍ନ ୧୪. “ଏ ସମସ୍ତ ମୋ’ର ଜନ୍ମଭୂମି” – ଏହି ବାକ୍ୟାଶରେ ‘ଏ ସମସ୍ତ’ କାହାକୁ ବୁଝାଉଛି ?

ଉତ୍ତର: ଏହି ବାକ୍ୟାଶରେ 'ଏ ସମସ୍ତ' କହିଲେ ବିଶାଳ ପୃଥିବୀ, ବିଶାଳ ଏସିଆ ମହାଦେଶ, ବିଶାଳ ଭାରତବର୍ଷ, ଓଡ଼ିଶା ଦେଶ ଏବଂ ଲେଖକଙ୍କ ଜନ୍ମ ସ୍ଥାନ ପଲ୍ଲୀଗ୍ରାମକୁ ବୁଝାଉଛି।


ପ୍ରଶ୍ନ ୧୫. ବୟସ ବଢ଼ିବା ସହ ଲେଖକଙ୍କର ଜନ୍ମଭୂମି ସହିତ ସମ୍ବନ୍ଧ କିପରି ହେଉଛି ବୋଲି ସେ କହିଛନ୍ତି ?

ଉତ୍ତର: ଲେଖକ କହିଛନ୍ତି ଯେ ବୟସ ବଢ଼ିବା ସହିତ (ଆୟୁସୂର୍ଯ୍ୟ ପଶ୍ଚିମ ଦିଗକୁ ଢଳିବା ସହିତ) ତାଙ୍କର ଜନ୍ମଭୂମି ସହ ସମ୍ବନ୍ଧ ଦିନକୁ ଦିନ କ୍ଷୀଣ ହୋଇ ଯେପରି କି ଲୀନ ହେବାକୁ ବସିଛି।


ପ୍ରଶ୍ନ ୧୬. ସମୟ ସ୍ରୋତରେ ଲେଖକ କିପରି ଭାସି ଚାଲିଛନ୍ତି ?

ଉତ୍ତର: ସମୟ ସ୍ରୋତରେ ଲେଖକ ନିଃସହାୟ ଶୁଷ୍କ ତୃଣ ପରି ଭାସି ଚାଲିଛନ୍ତି।


ପ୍ରଶ୍ନ ୧୭. ଜନ୍ମଭୂମିର କେଉଁ ରୂପ ଲେଖକଙ୍କର ଆଖୂ ଆଗରେ ଭାସି ଯାଏ ?

ଉତ୍ତର: ରାଶି ରାଶି ଶାଳତରୁ ମଧ୍ୟରେ ଥିବା ତଟିନୀ-ବେଷ୍ଟିତ ଭଞ୍ଜ-କିରୀଟିନୀ ଜନ୍ମଭୂମିର ରୂପ ଲେଖକଙ୍କ ଆଖି ଆଗରେ ଭାସିଯାଏ।


ପ୍ରଶ୍ନ ୧୮. ଧର୍ମାନ୍ତର ପରେ ଲୋକର କି ପରିବର୍ତ୍ତନ ହୋଇଥାଏ।

ଉତ୍ତର: ଧର୍ମାନ୍ତର ଗ୍ରହଣ କଲା ପରେ ବହୁ ବ୍ୟକ୍ତି ଧର୍ମ ପାଖରେ ସମସ୍ତ ମାନବିକତାକୁ ଉତ୍ସର୍ଗ କରି ସେମାନଙ୍କ ନାମ, ପଦବୀ, ଭାଷା, ଆହାର, ବ୍ୟବହାର, ବେଶଭୂଷା ଇତ୍ୟାଦି ବଦଳାଇ ଦିଅନ୍ତି ଓ ଶେଷରେ ଜାତୀୟତା ଭୁଲି ନିଜ ଜନ୍ମଭୂମିକୁ ସୁଦ୍ଧା ଅସ୍ଵୀକାର କରନ୍ତି।


ପ୍ରଶ୍ନ ୧୯. ପଲ୍ଲୀରେ ଏକପରିବାରତ୍ଵ ଗଢ଼ି ଉଠିବାର କି ପ୍ରମାଣ ମିଳେ ?

ଉତ୍ତର: ପଲ୍ଲୀଗ୍ରାମରେ ନରନାରୀଙ୍କ ମଧ୍ୟରେ ଜାତି-ଧର୍ମ ନିର୍ବିଶେଷରେ ଏକପରିବାରତ୍ଵର ପରମ୍ପରା ଗଢ଼ି ଉଠିଥାଏ। ଏହାର ପ୍ରମାଣ ସ୍ୱରୂପ, ସମସ୍ତ ଗ୍ରାମବାସୀ ପରସ୍ପର ମଧ୍ୟରେ କେହି ଭାଇ, କେହି ଭଉଣୀ, କେହି କକା, କେହି ଖୁଡ଼ୀ ଇତ୍ୟାଦି ଭାବରେ ପରିଚିତ ହୋଇଥାନ୍ତି।


ପ୍ରଶ୍ନ ୨୦. ‘ସାର ମାଉସୀ’ ଲେଖକଙ୍କୁ ଆଗେ କ’ଣ କହି ପଚାରୁଥିଲା ?

ଉତ୍ତର:ସାର ମାଉସୀ’ ଲେଖକଙ୍କୁ ଆଗେ ଦେଖିବା ମାତ୍ରେ ପଚାରୁଥିଲା, “କେବେ ଆସିଲୁ ବାପା ?


ପ୍ରଶ୍ନ ୨୧. ‘ସାର ମାଉସୀ’ର ପ୍ରଶ୍ନ ପଚାରିବାରେ ପରେ କି ପରିବର୍ତ୍ତନ ଆସିଛି ?

ଉତ୍ତର: ପରେ 'ସାର ମାଉସୀ'ର ପ୍ରଶ୍ନ ପଚାରିବାରେ ପରିବର୍ତ୍ତନ ଆସିଛି। ସେ ଆଜିକାଲି "କେବେ ଆସିଲୁ ବାପା?" ପରିବର୍ତ୍ତେ କହେ— “କେବେ ଆସିଲ ବାବୁ ?


ପ୍ରଶ୍ନ ୨୨. ‘ଗୋବିନ୍ଦ ଭାଇ’ କି ପ୍ରକାର ଲୋକ ?

ଉତ୍ତର:ଗୋବିନ୍ଦ ଭାଇ’ ଆଜୀବନ ଅକର୍ମା ଓ ଅବିବାହିତ ଲୋକ ଥିଲେ, ଯିଏ ତାଙ୍କ କ୍ଷୁଦ୍ର କୁଟିରକୁ ଦୁର୍ଗ କରି ସମଗ୍ର ବିଶ୍ଵ ବିରୋଧରେ ବିଦ୍ରୋହ ଘୋଷଣା କରିଆସିଛନ୍ତି।


ପ୍ରଶ୍ନ ୨୩. ଗୋବିନ୍ଦ ଭାଇ ଲେଖକଙ୍କୁ କୁଟିରରେ ବସାଇ କି ପ୍ରକାର ବ୍ୟବହାର ଦେଖାଉଥିଲେ ?

ଉତ୍ତର: ଆଗେ ଦେଖାହେଲେ ଗୋବିନ୍ଦ ଭାଇ ବହୁ ମାନ ସହିତ ଲେଖକଙ୍କୁ ତାଙ୍କ କୁଟିରରେ ବସାଇ ମନବୋଧ ଚଉତିଶାର ବ୍ୟାଖ୍ୟା କରୁଥିଲେ।


ପ୍ରଶ୍ନ ୨୪. ‘ଗ୍ରାମଟିଯାକ ନବାଗତ ଅତିଥିରେ ପରିପୂର୍ଣ ହୋଇଗଲାଣି’– ଏଠାରେ କେଉଁ ନବାଗତ ଅତିଥିଙ୍କ କଥା ଲେଖକ କହିଛନ୍ତି ?

ଉତ୍ତର: ଏଠାରେ ଲେଖକ ଗ୍ରାମର ଶୀର୍ଶ୍ଵ, ମଳିନ, ଉଲଗ୍ନ, କୃଶୋଦର, ଲମ୍ବୋଦର, ଅବାଞ୍ଛିତ, ଅବହେଳିତ ଶିଶୁମାନଙ୍କୁ 'ନବାଗତ ଅତିଥି' ବୋଲି କହିଛନ୍ତି, ଯେଉଁମାନେ ଲେଖକଙ୍କୁ ଆଦୌ ଜାଣନ୍ତି ନାହିଁ।


ପ୍ରଶ୍ନ ୨୫. ଗ୍ରାମର ଶିଶୁ ସମାବେଶ ଉପରେ ଲେଖକ କି ଅଭିମତ ଦେଇଛନ୍ତି ?

ଉତ୍ତର: ଲେଖକ ଗ୍ରାମର ଶିଶୁ ସମାବେଶକୁ ଶୀର୍ଶ୍ଵ, ମଳିନ, ଉଲଗ୍ନ, କୃଶୋଦର, ଲମ୍ବୋଦର, ଅବାଞ୍ଛିତ ଓ ଅବହେଳିତ ବୋଲି ଅଭିମତ ଦେଇଛନ୍ତି।


ପ୍ରଶ୍ନ ୨୬. ଏଇ ଶିଶୁମାନେ ଲେଖକଙ୍କୁ ଏବେ ଦେଖୁଲେ କିପରି ବ୍ୟବହାର ଦେଖାଇଥାନ୍ତି ?

ଉତ୍ତର: ଏହି ଶିଶୁମାନେ ଲେଖକଙ୍କୁ ଦେଖିଲେ ଆଫ୍ରିକାରୁ ନବାଗତ ଜେବ୍ରା ବା ଜିରାଫ୍‌ଙ୍କୁ ଚାହିଁ ରହିଲା ପରି ଖାଲି ଚାହିଁ ରହନ୍ତି।


ପ୍ରଶ୍ନ ୨୭. ଗ୍ରାମର ସାଧାରଣ ଯୁବକମାନେ କିପରି ସମୟ ବିତାନ୍ତି ?

ଉତ୍ତର: ଗ୍ରାମର ଯେଉଁ ଶିକ୍ଷିତ ଓ ଅର୍ଦ୍ଧଶିକ୍ଷିତ ନବଯୁବକମାନେ ଚାକିରି ନ ପାଇ ଜନ୍ମଭୂମି ଛାଡ଼ି ନାହାନ୍ତି, ସେମାନେ ରାଜନୀତିର ଆଶ୍ରୟ ନେଇ ସମୟ ବିତାନ୍ତି।


ପ୍ରଶ୍ନ ୨୮. ଗ୍ରାମ୍ୟ ଯୁବକମାନଙ୍କ ସହିତ ପଲ୍ଲୀପ୍ରକୃତିର ଶୋଭା ଉପଭୋଗ କରିବା ଲେଖକଙ୍କ ପକ୍ଷରେ କାହିଁକି ସମ୍ଭବ ହୁଏ ନାହିଁ ?

ଉତ୍ତର: କାରଣ ସେହି ଯୁବକମାନେ ରାଜନୈତିକ ମତବାଦ ଅନୁସାରେ ପୁଷ୍ପିତ ପଳାଶ ବନରେ ବିଦ୍ରୋହର ବହ୍ନି, ସ୍ଥଳପଦ୍ମରେ ଆହବର ରକ୍ତ ଆନତ କୃଷ୍ଣଚୂଡ଼ାରେ ଅନାଗତ ଯୁଗର ରକ୍ତକେତନ ଦେଖନ୍ତି। ଲେଖକଙ୍କ ପକ୍ଷେ ସେମାନଙ୍କ ମନ ସହିତ ଗତି କରି ଚାଲିବା ସମ୍ଭବ ହୁଏ ନାହିଁ।


ପ୍ରଶ୍ନ ୨୯. ଶିକ୍ଷିତ ଲୋକେ ପଲ୍ଲୀର କର୍ମଯୋଜନାରେ ଅଂଶଗ୍ରହଣ ନ କରିପାରିବାର କାରଣ କ’ଣ ?

ଉତ୍ତର: ଶିକ୍ଷିତ ଲୋକେ ପଲ୍ଲୀର କର୍ମଯୋଜନାରେ (ଯଥା: ଗ୍ରୀଷ୍ମର ଝାଞ୍ଜିରେ, ବର୍ଷାର ଝଡ଼ରେ ବା ହେମନ୍ତର ଶୀତରେ) ଅଂଶଗ୍ରହଣ କରିବା ପାଇଁ ଭୌତିକ ଶକ୍ତିର ଅଭାବ ନ ଥିଲେ ମଧ୍ୟ, ନୈତିକ ଶକ୍ତିର ଅଭାବ ରହିଛି।


ପ୍ରଶ୍ନ ୩୦. କେଉଁ ପର୍ବରେ ଦୋଳି ଖେଳର ପ୍ରାଧାନ୍ୟ ଥାଏ ?

ଉତ୍ତର: ରଜପର୍ବରେ ଦୋଳି ଖେଳର ପ୍ରାଧାନ୍ୟ ଥାଏ।


ପ୍ରଶ୍ନ ୩୧. ‘ରଜପର୍ବ ଶେଷ ହେବା ପରେ ନିଷ୍ଠୁର ବାସ୍ତବତା ଆସି ପଡ଼େ’ – ଏକଥା ଲେଖକ କହିବାର ଉଦ୍ଦେଶ୍ୟ କ'? ଉତ୍ତର: ଏକଥା କହିବାର ଉଦ୍ଦେଶ୍ୟ ହେଉଛି, ରଜପର୍ବର ଆନନ୍ଦ ଉଲ୍ଲାସ ପରେ ପୁଣି ଥରେ କଠିନ ପରିଶ୍ରମର ସମୟ ଆସିଯାଏ। କ୍ଳାନ୍ତ, ସିକ୍ତ ଓ ଧାରାହତ ଶ୍ରମଜୀବୀମାନଙ୍କୁ ପୁଣି ଧରଣୀକୁ ଶସ୍ୟଶ୍ୟାମଳା କରିବା ପାଇଁ ସମବେତ ଯନ୍ତ୍ରରେ ଲାଗିବାକୁ ପଡ଼େ।


ପ୍ରଶ୍ନ ୩୨. ଶିକ୍ଷିତମାନେ କାୟକ୍ଲେଶ ଓ ଆଭିଜାତ୍ୟ ମଧ୍ୟରୁ କେଉଁଟିକୁ ଅଧୂକ ପସନ୍ଦ କରନ୍ତି ଓ କାହିଁକି ? ଉତ୍ତର: ଶିକ୍ଷିତମାନେ ଆଭିଜାତ୍ୟକୁ ଅଧିକ ପସନ୍ଦ କରନ୍ତି। କାୟ-କ୍ଳେଶ ନ ସହିବା ଯଦି ଆଭିଜାତ୍ୟର ଚିହ୍ନ, ତେବେ ସମସ୍ତ ଶିକ୍ଷିତ ଲୋକ ଅଭିଜାତ ଶ୍ରେଣୀର ଅନ୍ତର୍ଭୁକ୍ତ ହେବାକୁ ଚାହାନ୍ତି। ଆଭିଜାତ୍ୟ ଛାଡ଼ିବା ସମ୍ଭବ ନୁହେଁ, ତେଣୁ ସେମାନେ ଶାରୀରିକ ଶ୍ରମ ବା କାୟ-କ୍ଳେଶକୁ ଛାଡ଼ିଦେବା ହିଁ ସମ୍ଭବ ମଣନ୍ତି।


ପ୍ରଶ୍ନ ୩୩. କିଭଳି ଲୋକ ଜୀବନ-ଯୁଦ୍ଧରେ ଦିଗ୍‌ବିଜୟୀ ବୀର ବୋଲି ପରିଚିତ ହୁଏ ?

ଉତ୍ତର: ଯେଉଁ ଲୋକ ମାନବର ସମସ୍ତ ନୀତିକୁ ପାଦରେ ଦଳି ଦେଇ, ଊର୍ଦ୍ଧ୍ୱଶ୍ଵାସରେ ଧାଇଁ, ଦୈନିକ ଆୟର ଦୀର୍ଘ ବ୍ୟବଧାନକୁ (ପାଞ୍ଚ ଅଣାରୁ ପଚାଶ ଲକ୍ଷ ଟଙ୍କା) ଯେତେ ବେଶୀ କମ୍ କରିପାରେ, ସେ ସେତେବେଶୀ ଜୀବନ-ଯୁଦ୍ଧର ଦିଗ୍‌ବିଜୟୀ ବୀର ବୋଲି ପରିଚିତ ହୁଏ।


ପ୍ରଶ୍ନ ୩୪. ଗ୍ରାମର ବିଦ୍ୟାର୍ଥୀମାନଙ୍କ ସମ୍ପର୍କରେ କି ପ୍ରକାର ଧାରଣା ପ୍ରଥମେ ସୃଷ୍ଟି ହୋଇଥାଏ ?

ଉତ୍ତର: ପ୍ରଥମେ ବିଦ୍ୟାର୍ଥୀ ଜୀବନରେ ସେମାନେ ପିତା-ମାତାଙ୍କ ଆଶା ଭରସାର ସ୍ଥଳ ହୋଇ, ଗ୍ରାମ ବୃଦ୍ଧମାନଙ୍କ ପ୍ରଶଂସାର ଦୃଷ୍ଟାନ୍ତ ହୋଇ, ଗ୍ରାମଭୂମି ମଣ୍ଡନ କରିଥାନ୍ତି ବୋଲି ଧାରଣା ସୃଷ୍ଟି ହୋଇଥାଏ।


ପ୍ରଶ୍ନ ୩୫. ଶିକ୍ଷିତମାନଙ୍କ ଗ୍ରାମ ଛାଡ଼ି ପଳାଇଯିବା ସହ କେଉଁ ପୌରାଣିକ କଥାର ତୁଳନା କରାଯାଇଛି ?

ଉତ୍ତର: ଶିକ୍ଷିତମାନଙ୍କ ଗ୍ରାମ ଛାଡ଼ି ପଳାଇଯିବାକୁ, ଶ୍ରୀକୃଷ୍ଣ ତିନି ଦିନକୁ କଣ୍ଟ କରି ମଥୁରାକୁ ଚିରଦିନ ପାଇଁ ଚାଲିଯିବା ସହ ତୁଳନା କରାଯାଇଛି।


ପ୍ରଶ୍ନ ୩୬. ଶ୍ରୀକୃଷ୍ଣଙ୍କୁ ମହାଭାରତର କର୍ଣ୍ଣଧାର କୁହାଯାଇଛି କାହିଁକି ?

ଉତ୍ତର: କାରଣ ସେ ମହାଭାରତର ମହାସମରକୁ ଅଙ୍ଗୁଳି ନିର୍ଦ୍ଦେଶରେ ଚଳାଇଥିଲେ


ପ୍ରଶ୍ନ ୩୭. ଶ୍ରୀକୃଷ୍ଣଙ୍କ ବଂଶର ଶେଷ ଅବସ୍ଥା କ’ଣ ହୋଇଥିଲା ?

ଉତ୍ତର: ଶ୍ରୀକୃଷ୍ଣଙ୍କ ମଦ୍ୟପ ବଂଶଗୋଷ୍ଠୀ ଓ ସାଙ୍ଗସାଥୀମାନେ ପ୍ରଭାସତୀର୍ଥର ଏରକାର ବନରେ ପରସ୍ପରକୁ ହାଣି ଧ୍ବଂସ ହୋଇଗଲେ।


ପ୍ରଶ୍ନ ୩୮. ଭଲ ବିଶ୍ଵବାସୀ କହିଲେ କ’ଣ ବୁଝାଯାଏ ? ଉତ୍ତର: ପ୍ରବନ୍ଧ ଅନୁସାରେ, ଯେ ଭଲ ଗ୍ରାମବାସୀ, ସେ ଭଲ ଓଡ଼ିଶାବାସୀ ହୁଏ; ଯେ ଭଲ ଓଡ଼ିଶାବାସୀ, ସେ ଭଲ ଭାରତବାସୀ ହୁଏ; ଏବଂ ଯେ ଭଲ ଭାରତବାସୀ, ସେ ହିଁ ଭଲ ବିଶ୍ଵବାସୀ ହୋଇପାରେ।

ସପ୍ରସଙ୍ଗ ସରଳାର୍ଥ

ପ୍ରଶ୍ନ ୩୯. ସମୟ-ସ୍ରୋତରେ ନିଃସହାୟ ଶୁଷ୍କ ତୃଣ ପରି ମୁଁ ଭାସି ଚାଲିଛି । ଉତ୍ତର:

ସପ୍ରସଙ୍ଗ ସରଳାର୍ଥ: ଉଦ୍ଧୃତ ଗଦ୍ୟାଂଶଟି ପ୍ରାବନ୍ଧିକ ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ଲିଖିତ 'ଜନ୍ମଭୂମି' ପ୍ରବନ୍ଧରୁ ଆନୀତ। ଏଠାରେ ଲେଖକ ଆଧୁନିକ ଶିକ୍ଷିତ ସମାଜର ପ୍ରତିନିଧି ଭାବରେ ନିଜ ଜନ୍ମମାଟିଠାରୁ ବିଚ୍ଛିନ୍ନ ହୋଇ ପଡ଼ିଥିବାର ବେଦନାକୁ ପ୍ରକାଶ କରିଛନ୍ତି। ଲେଖକଙ୍କ ମତରେ, ତାଙ୍କର ପ୍ରକୃତ ଜନ୍ମଭୂମି ହେଉଛି ତାଙ୍କ ପଲ୍ଲୀଗ୍ରାମ, ଯିଏ ତାଙ୍କୁ ମାତା, ଧାତ୍ରୀ ଓ ଶିକ୍ଷୟିତ୍ରୀ ରୂପେ ପରିପୁଷ୍ଟ କରିଛି। କିନ୍ତୁ ଆଧୁନିକ ଜୀବନଶୈଳୀ ଓ ଶିକ୍ଷାଗତ ପରିବର୍ତ୍ତନ ଯୋଗୁଁ ସେହି ସମ୍ବନ୍ଧ କ୍ଷୀଣ ହୋଇପଡିଛି। ସମୟର ସ୍ରୋତକୁ ସେ ଏକ ପ୍ରବଳ ନଦୀ ସହ ତୁଳନା କରିଛନ୍ତି ଏବଂ ନିଜକୁ ସେହି ସ୍ରୋତରେ ଭାସି ଯାଉଥିବା ଏକ ନିଃସହାୟ ଶୁଷ୍କ ତୃଣ ସହ ତୁଳନା କରିଛନ୍ତି। ତୃଣର ଯେପରି ନିଜର ଗତିପଥ ଉପରେ କୌଣସି ନିୟନ୍ତ୍ରଣ ନଥାଏ, ସେହିପରି ଲେଖକ ମଧ୍ୟ ସମୟର ପ୍ରବାହରେ ନିଜ ଇଚ୍ଛା ବିରୁଦ୍ଧରେ ଜନ୍ମଭୂମିଠାରୁ ଦୂରେଇ ଯାଉଛନ୍ତି। ତାଙ୍କର ପଲ୍ଲୀକୁ ଫେରିଯିବା ପାଇଁ ଆଉ ନୈତିକ ସାହସ ନାହିଁ। ଏହି ଉକ୍ତିଟି ଶିକ୍ଷିତ ମଣିଷର ନିଜ ମୂଳରୁ ବିଚ୍ଛିନ୍ନ ହେବାର ଦାରୁଣ ବାସ୍ତବତାକୁ ପ୍ରତିପାଦିତ କରେ।


ପ୍ରଶ୍ନ ୪୦. ଏହା ମଧ୍ୟ ତାଙ୍କର କୃତକର୍ମର ପରିଣାମ। ଉତ୍ତର:

ସପ୍ରସଙ୍ଗ ସରଳାର୍ଥ: ଉଦ୍ଧୃତ ଗଦ୍ୟାଂଶଟି ପ୍ରାବନ୍ଧିକ ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ଲିଖିତ 'ଜନ୍ମଭୂମି' ପ୍ରବନ୍ଧରୁ ଗୃହୀତ। ପଲ୍ଲୀମାଟିକୁ ଛାଡ଼ି ସହରମୁହାଁ ହେଉଥିବା ଶିକ୍ଷିତ ବ୍ୟକ୍ତିମାନଙ୍କୁ ଚେତାବନୀ ଦେବା ପାଇଁ ଲେଖକ ଶ୍ରୀକୃଷ୍ଣଙ୍କ ପୌରାଣିକ ଗାଥାର ଅବତାରଣା କରି ଏହି ମନ୍ତବ୍ୟ ଦେଇଛନ୍ତି। ଲେଖକଙ୍କ ମତରେ, ଶିକ୍ଷିତ ଯୁବକମାନେ କୃଷ୍ଣଙ୍କ ପରି ନିଜର ପଲ୍ଲୀମାଟି ଓ ସ୍ନେହୀଜନଙ୍କୁ ପ୍ରବଞ୍ଚନା କରି ସହରକୁ ଚାଲିଯାଆନ୍ତି। କୃଷ୍ଣ ମଧ୍ୟ ଗୋପପୁର ଛାଡ଼ି ଦ୍ୱାରକାରେ ବିପୁଳ ରାଜ୍ୟ, ବିଭବ ଓ ଅଭ୍ରଂକଷ ପ୍ରାସାଦର ଅଧିକାରୀ ହୋଇଥିଲେ। କିନ୍ତୁ ତାଙ୍କର ପରିଣାମ ଭଲ ହେଲାନାହିଁ। ତାଙ୍କ ବଂଶ ପ୍ରଭାସତୀର୍ଥରେ ଧ୍ୱଂସ ହୋଇଗଲା ଏବଂ ସେ ନିଜେ ରାଜ୍ୟହୀନ, ଗୃହହୀନ ହୋଇ ନିବିଡ଼ ଅରଣ୍ୟରେ ଜଣେ ବ୍ୟାଧର ଶରରେ ପ୍ରାଣ ହରାଇଲେ। ଲେଖକଙ୍କ ମତରେ, ଶ୍ରୀକୃଷ୍ଣଙ୍କର ଏହି ଦୁର୍ଦ୍ଦଶା ତାଙ୍କ ନିଜ କୃତକର୍ମର ଫଳ ଥିଲା। ସେ ନିଜ ଜନ୍ମଭୂମି ଗୋପପୁରକୁ ଭୁଲିଯିବାର ପରିଣାମ ସ୍ୱରୂପ ତାଙ୍କୁ ଏହି ଦଣ୍ଡ ଭୋଗିବାକୁ ପଡିଥିଲା। ଏହି ଦୃଷ୍ଟାନ୍ତ ମାଧ୍ୟମରେ ପ୍ରାବନ୍ଧିକ ଜନ୍ମଭୂମି-ବିମୁଖ ଶିକ୍ଷିତ ସମାଜକୁ ସତର୍କ କରାଇ ଦେଇଛନ୍ତି।


ପ୍ରଶ୍ନ ୪୧. ଏମାନେ ପୁଷ୍ପିତ ପଳାଶବନରେ ଦେଖନ୍ତି ବିଦ୍ରୋହର ବହ୍ନି, ସ୍ଥଳପଦ୍ମରେ ଦେଖନ୍ତି ଆହବର ରକ୍ତ ଓ ଆନତ କୃଷ୍ଣଚୂଡ଼ାରେ ଦେଖନ୍ତି ଅନାଗତ ଯୁଗର ରକ୍ତକେତନ । ଉତ୍ତର:

ସପ୍ରସଙ୍ଗ ସରଳାର୍ଥ: ଉଦ୍ଧୃତ ଗଦ୍ୟାଂଶଟି ସୁପ୍ରସିଦ୍ଧ ପ୍ରାବନ୍ଧିକ ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ରଚିତ 'ଜନ୍ମଭୂମି' ପ୍ରବନ୍ଧରୁ ଉଦ୍ଧାର କରାଯାଇଛି। ଆଧୁନିକ ଶିକ୍ଷିତ ଲେଖକ କିପରି ତାଙ୍କ ପଲ୍ଲୀ ଜନ୍ମଭୂମିର ଯୁବଗୋଷ୍ଠୀଙ୍କଠାରୁ ମାନସିକ ସ୍ତରରେ ବିଚ୍ଛିନ୍ନ ହୋଇପଡ଼ିଛନ୍ତି, ତାହା ବର୍ଣ୍ଣନା କରିବା ପ୍ରସଙ୍ଗରେ ଏହି ଉକ୍ତିଟି କୁହାଯାଇଛି। ଲେଖକ ଯେତେବେଳେ ନିଜ ଗ୍ରାମକୁ ଫେରନ୍ତି, ସେଠାରେ ଥିବା ଚାକିରି ନ ପାଇଥିବା ଶିକ୍ଷିତ ଓ ଅର୍ଦ୍ଧଶିକ୍ଷିତ ଯୁବକମାନଙ୍କୁ ଭେଟନ୍ତି। ସେମାନେ ସମସ୍ତେ କୌଣସି ନା କୌଣସି ରାଜନୈତିକ ମତବାଦ (କଂଗ୍ରେସୀ, ଗଣତନ୍ତ୍ରୀ, କମ୍ୟୁନିଷ୍ଟ ବା ସୋସିଆଲିଷ୍ଟ) ଦ୍ୱାରା ଗଭୀର ଭାବେ ପ୍ରଭାବିତ। ସେମାନଙ୍କ ସହ ସାହିତ୍ୟ ଚର୍ଚ୍ଚା ବା ପଲ୍ଲୀପ୍ରକୃତିର ଶୋଭା ଉପଭୋଗ କରିବା ଲେଖକଙ୍କ ପକ୍ଷେ ସମ୍ଭବ ହୁଏ ନାହିଁ। କାରଣ, ଏହି ରାଜନୈତିକ ମତବାଦ ସେମାନଙ୍କର ମାନସିକ ପରିବର୍ତ୍ତନ ଘଟାଇଛି। ସେମାନେ ପ୍ରକୃତିର ସୌନ୍ଦର୍ଯ୍ୟକୁ ସହଜ ଭାବେ ଉପଭୋଗ ନ କରି, ତା' ମଧ୍ୟରେ କେବଳ ନିଜ ରାଜନୈତିକ ଆଦର୍ଶର ପ୍ରତିଫଳନ ଦେଖନ୍ତି। ପୁଷ୍ପିତ ପଳାଶ ଫୁଲର ଲାଲ ରଙ୍ଗରେ ସେମାନେ ବିଦ୍ରୋହର ଅଗ୍ନି, ସ୍ଥଳପଦ୍ମର ରକ୍ତିମ ଆଭାରେ ଯୁଦ୍ଧର ରକ୍ତ ଏବଂ ନଇଁ ପଡ଼ିଥିବା କୃଷ୍ଣଚୂଡ଼ାରେ ଆଗାମୀ ଯୁଗର ବିପ୍ଳବୀ ପତାକା ବା ରକ୍ତକେତନ ଦର୍ଶନ କରନ୍ତି। ସେମାନଙ୍କର ଏହି ଏକପାଖିଆ, ଆଦର୍ଶଗ୍ରସ୍ତ ମନ ସହିତ ଲେଖକ ଗତି କରିପାରନ୍ତି ନାହିଁ, ଫଳରେ ସେ ନିଜ ଜନ୍ମମାଟିରେ ହିଁ ବିଚ୍ଛିନ୍ନ ଅନୁଭବ କରନ୍ତି।

ଦୀର୍ଘ ଉତ୍ତରମୂଳକ

ପ୍ରଶ୍ନ ୪୨. ପଲ୍ଲୀ କୋଳକୁ ଫେରିଯିବାରେ ତାଙ୍କର ନୈତିକ ସାହସ ନାହିଁ ବୋଲି ଲେଖକ କାହିଁକି କହିଛନ୍ତି ?


ଉତ୍ତର: ପ୍ରାବନ୍ଧିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ମତରେ, ଆଧୁନିକ ଶିକ୍ଷା ଓ ଜୀବନଶୈଳୀ ଶିକ୍ଷିତ ବ୍ୟକ୍ତିକୁ ତା'ର ଜନ୍ମଭୂମି ପଲ୍ଲୀଠାରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ କରିଦେଇଛି। ଲେଖକ ନିଜକୁ ସେହି ଶିକ୍ଷିତ ସମାଜର ପ୍ରତିନିଧି ଭାବରେ ଦେଖିଛନ୍ତି ଏବଂ ପଲ୍ଲୀ କୋଳକୁ ଫେରିଯିବାରେ ତାଙ୍କର ନୈତିକ ସାହସ ନାହିଁ ବୋଲି କହିବାର କାରଣଗୁଡ଼ିକ ହେଲା:

  1. ପୁନର୍ଜନ୍ମ ଓ ପରିଚୟର ସଙ୍କଟ: ଲେଖକ କହନ୍ତି ଯେ ପ୍ରଚଳିତ ଶିକ୍ଷା ସମାପନ ପରେ ଶିକ୍ଷିତ ବ୍ୟକ୍ତିର ଏକପ୍ରକାର ପୁନର୍ଜନ୍ମ ଘଟିଯାଏ। ସେ ତାର ପୂର୍ବ ପରିଚୟ, ବେଶଭୂଷା, ଆହାର, ବ୍ୟବହାର ବଦଳାଇ ଦିଏ। ତେଣୁ ପଲ୍ଲୀଗ୍ରାମକୁ ଫେରିଯାଇ ଜୀବିକାର୍ଜନ କରିବା ତ ଦୂରର କଥା, ସେଠାରେ କିଛିକାଳ ଅବସ୍ଥାନ କରିବା ମଧ୍ୟ ତା ପକ୍ଷେ ସମ୍ଭବ ହୁଏ ନାହିଁ।
  2. ମାନସିକ ବିଚ୍ଛିନ୍ନତା: ଲେଖକ ନିଜ ଜନ୍ମଭୂମିକୁ କେବଳ ଏକ ଜାତିସ୍ମର (ପୂର୍ବଜନ୍ମ କଥା ମନେପକାଉଥିବା ଲୋକ) ପରି ସ୍ମରଣ କରନ୍ତି। ସେହି ମାଟି ସହ ତାଙ୍କର ଆଉ ପୂର୍ବର ମଧୁର ସମ୍ବନ୍ଧ ନାହିଁ। 'ସାର ମାଉସୀ' ତାଙ୍କୁ 'ବାପା' ପରିବର୍ତ୍ତେ 'ବାବୁ' ବୋଲି ସମ୍ବୋଧନ କରେ , 'ଗୋବିନ୍ଦା ଭାଇ' ଆଉ ପୂର୍ବର ବିଶ୍ୱାସ ଦେଖାଏ ନାହିଁ , ଏବଂ ଗ୍ରାମର ନୂତନ ପିଢ଼ିର ଶିଶୁମାନେ ତାଙ୍କୁ ଚିହ୍ନନ୍ତି ନାହିଁ, ବରଂ 'ଜେବ୍ରା ବା ଜିରାଫ୍' ପରି ଅଦ୍ଭୁତ ଜୀବ ଭାବେ ଚାହାନ୍ତି।
  3. କର୍ମଗତ ବିଚ୍ଛିନ୍ନତା: ଗ୍ରାମୀଣ ଜୀବନର ଏକ ଶୃଙ୍ଖଳିତ କର୍ମ-ଯୋଜନା ରହିଛି, ଯାହା କୃଷି ଉପରେ ଆଧାରିତ। ଗ୍ରୀଷ୍ମର ଝାଞ୍ଜି, ବର୍ଷାର ଝଡ଼ ବା ହେମନ୍ତର ଶୀତରେ କରାଯାଉଥିବା କାୟିକ ଶ୍ରମରେ ଅଂଶ ନେବା ପାଇଁ ଲେଖକଙ୍କର ଭୌତିକ ଶକ୍ତି ଥିଲେ ମଧ୍ୟ, ନୈତିକ ଶକ୍ତିର ଅଭାବ ରହିଛି।
  4. ଆଭିଜାତ୍ୟର ମୋହ: ଶିକ୍ଷିତ ବ୍ୟକ୍ତି ନିଜକୁ ଅଭିଜାତ ଶ୍ରେଣୀର ମନେକରେ ଏବଂ 'କାୟ-କ୍ଳେଶ' ବା ଶାରୀରିକ ପରିଶ୍ରମକୁ ଘୃଣା କରେ। ଏହି ଆଭିଜାତ୍ୟ ଛାଡ଼ି ପଲ୍ଲୀର କର୍ମମୟ ଜୀବନକୁ ଫେରିଯିବା ତା ପକ୍ଷେ ସମ୍ଭବ ହୁଏ ନାହିଁ। ଏହି ସମସ୍ତ ମାନସିକ, ସାମାଜିକ ଓ କର୍ମଗତ ବିଚ୍ଛିନ୍ନତା କାରଣରୁ ଲେଖକ ଅନୁଭବ କରନ୍ତି ଯେ, ସେ ତାଙ୍କ ଜନ୍ମଭୂମିର ମନରୁ ଓ କର୍ମରୁ ସମ୍ପୂର୍ଣ୍ଣ ବିଚ୍ୟୁତ ହୋଇପଡ଼ିଛନ୍ତି , ତେଣୁ ସେଠାକୁ ଫେରିଯିବାର ନୈତିକ ସାହସ ତାଙ୍କର ନାହିଁ।

ପ୍ରଶ୍ନ ୪୩. ଗ୍ରାମରେ ଦେଖାଯାଉଥିବା ଏକପରିବାରତ୍ଵ ପରମ୍ପରା ସମ୍ପର୍କରେ ପଠିତ ପ୍ରବନ୍ଧକୁ ଭିତ୍ତି କରି ବର୍ଣ୍ଣନା କର।


ଉତ୍ତର: 'ଜନ୍ମଭୂମି' ପ୍ରବନ୍ଧରେ ଲେଖକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ପଲ୍ଲୀଗ୍ରାମର ଏକ ବିଶେଷ ଗୁଣ ଉପରେ ଆଲୋକପାତ କରିଛନ୍ତି, ତାହା ହେଉଛି 'ଏକପରିବାରତ୍ଵର ପରମ୍ପରା' ଲେଖକଙ୍କ ମତରେ, ବହୁ ବାଦ-ବିସମ୍ବାଦ ସତ୍ତ୍ୱେ ପଲ୍ଲୀଗ୍ରାମର ନରନାରୀଙ୍କ ମଧ୍ୟରେ ଜାତି-ଧର୍ମ ନିର୍ବିଶେଷରେ ଗୋଟିଏ ଏକପରିବାରତ୍ଵର ଭାବ ଗଢ଼ି ଉଠିଥାଏ। ଏହାର ସ୍ୱରୂପ ହେଉଛି ଆତ୍ମୀୟ ସମ୍ବୋଧନ ଏବଂ ପାରସ୍ପରିକ ସମ୍ପର୍କ। ଗ୍ରାମର ସମସ୍ତ ବାସିନ୍ଦା ପରସ୍ପର ମଧ୍ୟରେ କେହି ଭାଇ, କେହି ଭଉଣୀ, କେହି କକା, କେହି ଖୁଡ଼ୀ, ମାମୁମାଈଁ, ମଉସା-ମାଉସୀ ଇତ୍ୟାଦି ମଧୁର ସମ୍ବନ୍ଧରେ ବାନ୍ଧି ହୋଇଥାନ୍ତି। ଲେଖକ ଏହି ସମ୍ପର୍କକୁ 'ମଧୁର ସମ୍ବନ୍ଧ' ବୋଲି ଅଭିହିତ କରିଛନ୍ତି। ଏହା ବ୍ୟତୀତ, କର୍ମକ୍ଷେତ୍ରରେ ମଧ୍ୟ ଏହି ଏକପରିବାରତ୍ଵର ଭାବ ଦେଖାଯାଏ। ସ୍ୱାର୍ଥର ବିଭେଦ ସତ୍ତ୍ୱେ, କର୍ମ ଓ କ୍ଳେଶ ମଧ୍ୟରେ ଗ୍ରାମବାସୀଙ୍କ ଭିତରେ ଏହି ଏକତା ଆପେ ଆପେ ଜାତ ହୁଏ। ଉଦାହରଣ ସ୍ୱରୂପ, ନିଦାଘର ଝାଞ୍ଜିରେ ସମସ୍ତେ ମିଶି ଧରଣୀର ବକ୍ଷ ଚିରି ନୂଆ ମେଘକୁ ଚାହିଁ ରହନ୍ତି ଏବଂ ରଜପର୍ବର ଆନନ୍ଦରେ ସମସ୍ତେ ଏକାଠି ଦୋଳି ଖେଳରେ ମାତିଯାଆନ୍ତି। ଏହି ସାମୂହିକ କର୍ମ ଓ ସାମୂହିକ ଆନନ୍ଦ ହିଁ ପଲ୍ଲୀର ଏକପରିବାରତ୍ଵ ପରମ୍ପରାକୁ ବଞ୍ଚାଇ ରଖିଥାଏ।


ପ୍ରଶ୍ନ ୪୪. ମନୁଷ୍ୟକୁ ବହୁ ପରିମାଣରେ ପରମ୍ପରାର ଦାସ ବୋଲି କହିବାର ଯଥାର୍ଥତା କ'?


ଉତ୍ତର: 'ଜନ୍ମଭୂମି' ପ୍ରବନ୍ଧରେ ଲେଖକ ମତ ଦେଇଛନ୍ତି ଯେ ମନୁଷ୍ୟକୁ ସବୁବେଳେ ଯୁକ୍ତିବାଦୀ ଜୀବ କହିବା ଠିକ୍ ନୁହେଁ; ସେ ବହୁ ପରିମାଣରେ ଗତାନୁଗତିକତାର ଦାସ ବା ପରମ୍ପରାର ଦାସ। ଏହାର ଯଥାର୍ଥତା ପ୍ରତିପାଦନ କରି ଲେଖକ କହିଛନ୍ତି ଯେ, ଶିକ୍ଷିତ ଲୋକମାନେ 'କାୟ-କ୍ଳେଶ' ବା ଶାରୀରିକ ପରିଶ୍ରମକୁ ଘୃଣା କରନ୍ତି କାରଣ ସେମାନେ ନିଜକୁ ଅଭିଜାତ ମଣନ୍ତି। କାୟ-କ୍ଳେଶ ନ ସହିବା ହେଉଛି ଆଭିଜାତ୍ୟର ଏକ ପରମ୍ପରାଗତ ଚିହ୍ନ। ଲେଖକ ଏହାକୁ ବୁଝାଇବାକୁ ଯାଇ 'ନେକ୍‌ଟାଇ'ର ଉଦାହରଣ ଦେଇଛନ୍ତି। ନେକ୍‌ଟାଇ ଏକ ନିରର୍ଥକ ବସ୍ତୁ ହେଲେ ମଧ୍ୟ, କେବଳ ଏହା ଆଭିଜାତ୍ୟର ଚିହ୍ନ ବୋଲି ବିବେଚିତ ହେଉଥିବାରୁ ମନୁଷ୍ୟ ତାକୁ ଛାଡ଼େ ନାହିଁ। ସେହିପରି, ସମସ୍ତ ଶିକ୍ଷିତ ଲୋକ କାୟ-କ୍ଳେଶ ସହିବାକୁ ଅକ୍ଷମ ନୁହନ୍ତି, କିନ୍ତୁ କେବଳ ଅଭିଜାତ ଶ୍ରେଣୀର ଅନ୍ତର୍ଭୁକ୍ତ ହେବାର ପରମ୍ପରାକୁ ବଜାୟ ରଖିବା ପାଇଁ ସେମାନେ ଶାରୀରିକ ଶ୍ରମ ଛାଡ଼ିବାକୁ ବାଧ୍ୟ ହୁଅନ୍ତି। ଏହି ଗତାନୁଗତିକତା ବା ପରମ୍ପରାର ଦାସତ୍ୱ ହିଁ ସେମାନଙ୍କୁ ନିଜ ପଲ୍ଲୀର କର୍ମଯୋଜନାରୁ ବିଚ୍ୟୁତ କରେ।


ପ୍ରଶ୍ନ ୪୫. ପଲ୍ଲୀର ଶିକ୍ଷିତ ସଂପ୍ରଦାୟ ଓ ଶ୍ରୀକୃଷ୍ଣଙ୍କ ମଧ୍ୟରେ ତୁଳନା କେତେ ଦୂର ଯୁକ୍ତିଯୁକ୍ତ ବୁଝାଇ ଲେଖ।


ଉତ୍ତର: 'ଜନ୍ମଭୂମି' ପ୍ରବନ୍ଧରେ ଲେଖକ ପଲ୍ଲୀ ତ୍ୟାଗ କରୁଥିବା ଶିକ୍ଷିତ ସମ୍ପ୍ରଦାୟ ଏବଂ ଗୋପପୁର ତ୍ୟାଗ କରିଥିବା ଶ୍ରୀକୃଷ୍ଣଙ୍କ ମଧ୍ୟରେ ଏକ ସାର୍ଥକ ଓ ଯୁକ୍ତିଯୁକ୍ତ ତୁଳନା କରିଛନ୍ତି।

  1. ପ୍ରବଞ୍ଚନା ଓ ପରିତ୍ୟାଗ: ଲେଖକଙ୍କ ମତରେ, ପଲ୍ଲୀର ଶିକ୍ଷିତ ଯୁବକମାନେ ଯେପରି ନିଜ ପିତାମାତା ଓ ଗ୍ରାମବାସୀଙ୍କ ଆଶା, ଭରସା ଓ ସ୍ନେହକୁ ଉପେକ୍ଷା କରି ସବୁଦିନ ପାଇଁ ଗ୍ରାମ ଛାଡ଼ି ଚାଲିଯାଆନ୍ତି, ତାହା ଏକପ୍ରକାର ବିଶ୍ୱାସଘାତକତା। ଠିକ୍ ସେହିପରି, ଶ୍ରୀକୃଷ୍ଣ ମଧ୍ୟ ନନ୍ଦ, ଯଶୋଦା ଓ ଗୋପୀ-ଗୋପାଳଙ୍କ ଅସୀମ ସ୍ନେହରେ ପାଳିତ ହୋଇ ମଧ୍ୟ, ଶେଷରେ ସେମାନଙ୍କୁ ପ୍ରବଞ୍ଚନା କରି ତିନି ଦିନକୁ କଣ୍ଟ କରି ଚିରଦିନ ପାଇଁ ଗୋପପୁର ଛାଡ଼ି ଚାଲିଗଲେ।
  2. ନୂତନ ଜୀବନ ଓ ଆଭିଜାତ୍ୟ: ପଲ୍ଲୀ ଛାଡ଼ିବା ପରେ ଶିକ୍ଷିତ ଯୁବକ ଯେପରି ଏକ ନୂତନ, ଆଭିଜାତ୍ୟପୂର୍ଣ୍ଣ ଜୀବନ ଆରମ୍ଭ କରେ, ଶ୍ରୀକୃଷ୍ଣ ମଧ୍ୟ ଗୋପପୁର ଛାଡ଼ି ମଥୁରା ଓ ଦ୍ୱାରକାରେ ବିପୁଳ ରାଜ୍ୟ, ଅପରିସୀମ ବିଭବ ଓ ଅଭ୍ରଂକଷ ପ୍ରାସାଦର ଅଧିକାରୀ ହୋଇଥିଲେ। ଲେଖକଙ୍କ ଭାଷାରେ, ଯେଉଁ ପାଦ ଗୋପପୁରରେ ଗୋ-ଚାରଣ କରି କଠିନ ହୋଇଥିଲା, ତାହା ଦ୍ୱାରକାର ରାଜଭୋଗରେ ନବପଲ୍ଲବ ପରି ରକ୍ତାଭ ହୋଇଗଲା। ଏହା ଆଭିଜାତ୍ୟର ପ୍ରତୀକ।
  3. କୃତକର୍ମର ପରିଣାମ: ଲେଖକ ଏହି ତୁଳନା ମାଧ୍ୟମରେ ଏକ ଚେତାବନୀ ଦେଇଛନ୍ତି। ଜନ୍ମଭୂମିକୁ ପ୍ରବଞ୍ଚନା କରିବାର ପରିଣାମ ସ୍ୱରୂପ କୃଷ୍ଣଙ୍କୁ ମଧ୍ୟ ଦଣ୍ଡ ଭୋଗିବାକୁ ପଡିଥିଲା। ତାଙ୍କ ବଂଶ ଧ୍ୱଂସ ହେଲା ଏବଂ ସେ ନିଜେ ଏକାକୀ ଅରଣ୍ୟରେ ବ୍ୟାଧ ଶରରେ ମୃତ୍ୟୁବରଣ କଲେ। ଲେଖକଙ୍କ ମତରେ, ଏହା ତାଙ୍କ କୃତକର୍ମର ପରିଣାମ ଥିଲା। ଏହିପରି, ଜନ୍ମଭୂମି ପ୍ରତି ବିଶ୍ୱାସଘାତକତା ଏବଂ ଆଭିଜାତ୍ୟର ମୋହ—ଏହି ଦୁଇଟି ଦିଗରୁ ପଲ୍ଲୀର ଶିକ୍ଷିତ ସମ୍ପ୍ରଦାୟ ଓ ଶ୍ରୀକୃଷ୍ଣଙ୍କ ମଧ୍ୟରେ ତୁଳନା ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ ଅଟେ।

ପ୍ରଶ୍ନ ୪୬. ଏହି ପ୍ରବନ୍ଧରେ ଲେଖକ ଶିକ୍ଷିତ ସମାଜକୁ କି ପରାମର୍ଶ ଦେଇଛନ୍ତି ?


ଉତ୍ତର: 'ଜନ୍ମଭୂମି' ପ୍ରବନ୍ଧରେ ଲେଖକ ଶିକ୍ଷିତ ସମାଜକୁ ନିଜର ମୂଳକୁ ନ ଭୁଲିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ଲେଖକ ସ୍ଵୀକାର କରନ୍ତି ଯେ ପାଶ୍ଚାତ୍ୟ ଶିକ୍ଷାପଦ୍ଧତି ଶିକ୍ଷିତମାନଙ୍କୁ ପାଶ୍ଚାତ୍ୟ ଜୀବନଧାରଣର ମାନ ଅନୁସରଣ କରିବାକୁ ବାଧ୍ୟ କରେ। ତଥାପି, ଲେଖକ ପରାମର୍ଶ ଦିଅନ୍ତି ଯେ ଶିକ୍ଷିତ ବ୍ୟକ୍ତିମାନେ ସେମାନଙ୍କ ମହାନୁଭବତାର ପରିଧିକୁ ପ୍ରଥମେ ପଲ୍ଲୀଗ୍ରାମରୁ ଆରମ୍ଭ କରି ବିଶ୍ଵ ପର୍ଯ୍ୟନ୍ତ ବ୍ୟାପ୍ତ କରିବା ଉଚିତ। ସେ ସତର୍କ କରାଇ ଦିଅନ୍ତି ଯେ, ଯେଉଁମାନେ ଗ୍ରୀସୀୟ ଦେବତା ଏଟ୍‌ଲାସ୍‌ ପରି ସମସ୍ତ ବିଶ୍ଵର ଭାର ବହନ କରିଛନ୍ତି ବୋଲି ଦେଖାନ୍ତି, ସେମାନେ କେବଳ ପ୍ରବଞ୍ଚନା କରନ୍ତି। ଲେଖକଙ୍କ ମତରେ, ଯେ ଭଲ ଗ୍ରାମବାସୀ ନୁହେଁ; ସେ ଭଲ ଓଡ଼ିଶାବାସୀ ନୁହେଁ; ଯେ ଭଲ ଓଡ଼ିଶାବାସୀ ନୁହେଁ, ସେ ଭଲ ଭାରତବାସୀ ନୁହେଁ ଓ ଯେ ଭଲ ଭାରତବାସୀ ନୁହେଁ ସେ ଭଲ ବିଶ୍ୱବାସୀ ହୋଇ ନ ପାରେ। ତେଣୁ, ଶିକ୍ଷିତ ସମାଜ ପାଶ୍ଚାତ୍ୟ ଶିକ୍ଷାର ବନ୍ଧନ ଛିନ୍ନ କରି, ନିଜର ମହାନୁଭବତାକୁ ପ୍ରଥମେ ନିଜ ପଲ୍ଲୀରୁ ଆରମ୍ଭ କରି କ୍ରମଶଃ ସମଗ୍ର ଓଡ଼ିଶା ଓ ଭାରତବର୍ଷକୁ ବ୍ୟାପ୍ତ କରିବା ଉଚିତ। ଏହି ସ୍ଵାଭାବିକ ପନ୍ଥା ହିଁ ଶ୍ରେୟସ୍କର ବୋଲି ଲେଖକ ପରାମର୍ଶ ଦେଇଛନ୍ତି।