📘

WithTeachers

Learning Together

© WithTeachers

Designed with for a better world.
Class 10 ସାହିତ୍ୟ ସିନ୍ଧୁ
ସଭ୍ୟତା ଓ ବିଜ୍ଞାନ- ଗଦ୍ୟ

ସଭ୍ୟତା ଓ ବିଜ୍ଞାନ- ଗଦ୍ୟ – Book Q A Class 10 ସାହିତ୍ୟ ସିନ୍ଧୁ

ପ୍ରଶ୍ନାବଳୀର ସମସ୍ତ ପ୍ରଶ୍ନ ଏବଂ ଉତ୍ତର

ନିର୍ଦ୍ଦିଷ୍ଟ ଉତ୍ତରମୂଳକ :

୧. ବିପରୀତାର୍ଥବୋଧକ ଶବ୍ଦ ଲେଖ ।

 ନୈତିକ – ଅନୈତିକ

ଉନ୍ନତି – ଅବନତି

 ପ୍ରାଚୀନ – ନୂତନ / ଅର୍ବାଚୀନ

ଇଚ୍ଛାକୃତ – ଅନିଚ୍ଛାକୃତ

 ଅକ୍ଷୁଣ୍ଣ – କ୍ଷୁଣ୍ଣ

ପୂର୍ବବର୍ତ୍ତୀ – ପରବର୍ତ୍ତୀ

ବିକାଶ – ବିନାଶ

ସଂଯୋଗ – ବିଯୋଗ

୨. ନିମ୍ନଲିଖୂତ ଶବ୍ଦଗୁଡ଼ିକୁ ବ୍ୟବ‌ହାର କରି ବାକ୍ୟ ଗଠନ କର ।

ବୈଷୟିକ: ଆଧୁନିକ ଯୁଗରେ ମଣିଷ ବହୁତ ବୈଷୟିକ ଉନ୍ନତି ସାଧନ କରିଛି ।

ମାନବିକତା: ସଭ୍ୟତାର ପ୍ରକୃତ ଆଦର୍ଶ ହେଉଛି ବିଶ୍ୱ ମାନବିକତାର ପ୍ରତିଷ୍ଠା ।

 ଆରୋହଣ: ହିନ୍ଦୁମାନେ ସଭ୍ୟତାର ଉଚ୍ଚତମ ସୋପାନ ଆରୋହଣ କରିଥିଲେ ବୋଲି କହନ୍ତି ।

 ଅନବରତ: ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଆମର ଚେଷ୍ଟା ଅନବରତ ଲାଗି ରହିଛି ।

 ଦୁରୂହ: ବିଜ୍ଞାନ ବଳରେ ତୁଙ୍ଗ ହିମାଳୟ ଆଜି ଦୁରୂହ ହୋଇ ରହିନାହିଁ ।

ବିସ୍ତୃତ: ବିଜ୍ଞାନ ବଳରେ ଆମେ ଜ୍ଞାନର ସୀମା ବିସ୍ତୃତ କରି ପାରିଥାଇଁ ।

ବିଚଳିତ: ପ୍ରାଚୀନ ଧର୍ମଭାବର ଶୈଥିଲ୍ୟ ଦେଖି ଲୋକେ ବିଚଳିତ ହେବା ଉଚିତ୍ ନୁହେଁ ।

୩. ସନ୍ଧିବିଚ୍ଛେଦ କର ।

ଅନ୍ୟାନ୍ୟ = ଅନ୍ୟ + ଅନ୍ୟ

ଅନ୍ତର୍ଗତ = ଅନ୍ତଃ + ଗତ

ସଂଯୋଗ = ସମ୍ + ଯୋଗ

ଆୟୁର୍ବେଦ = ଆୟୁଃ + ବେଦ

ମନସ୍ତତ୍ତ୍ଵ = ମନଃ + ତତ୍ତ୍ଵ

ଉଲ୍ଲିଖିତ = ଉତ୍ + ଲିଖିତ

୪. ନିମ୍ନଲିଖୂତ ଶବ୍ଦଗୁଡ଼ିକର ପ୍ରକୃତି ପ୍ରତ୍ୟୟ ନିର୍ଣ୍ଣୟ କର ।

ଶାରୀରିକ = ଶରୀର + ଇକ

ମାନସିକ = ମନସ୍ + ଇକ

ପାର୍ବତୀୟ = ପର୍ବତ + ଈୟ

ଭାରତୀୟ = ଭାରତ + ଈୟ

ତ୍ୟାଗ = ତ୍ୟଜ୍ + ଅ

ସର୍ବାଙ୍ଗୀନ = ସର୍ବ + ଅଙ୍ଗ + ଈନ

କରଣୀୟ = କୃ + ଅନୀୟ

ବୈଜ୍ଞାନିକ = ବିଜ୍ଞାନ + ଇକ

କର୍ତ୍ତବ୍ୟ = କୃ + ତବ୍ୟ

୫. ନିମ୍ନଲିଖିତ ଶବ୍ଦଗୁଡିକର ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖ ।

ହସ୍ତୀ: ଗଜ, ହାତୀ

ମାନବ: ମନୁଷ୍ୟ, ନର

ଧ୍ଵଜା: ପତାକା, ବାନା

ପର୍ବତ: ଗିରି, ଶୈଳ

୬. ନିମ୍ନଲିଖିତ ଶବ୍ଦଗୁଡ଼ିକୁ ସଂଶୋଧନ କରି ଲେଖ ।

 ଶାରିରୀକ – ଶାରୀରିକ

ସାହାର୍ଯ୍ୟ – ସାହାଯ୍ୟ

 ସଶ୍ଲିଷ୍ଟ – ସଂଶ୍ଲିଷ୍ଟ

 ଆଶ୍ରୀର୍ବାଦ – ଆଶୀର୍ବାଦ

୭. ନିମ୍ନଲିଖିତ ଶବ୍ଦଗୁଡ଼ିକର ଅର୍ଥଗତ ପାର୍ଥକ୍ୟ ଦର୍ଶାଅ ।

ଲକ୍ଷ (ସଂଖ୍ୟା ବିଶେଷ) – ଲକ୍ଷ୍ୟ (ଉଦ୍ଦେଶ୍ୟ)

କୁଳ (ବଂଶ) – କୂଳ (ତଟ)

 ଚରିତ (ଆଚରଣ) – ଚରିତ୍ର (ସ୍ଵଭାବ)

କ୍ଷୁଦ୍ର ଉତ୍ତରମୂଳକ :

୮. ଆମେ ସଭ୍ୟତା ଆଖ୍ୟା କାହାକୁ ଦେଇଥାଉ ?

 ଉତ୍ତର: ମାନବ ଯେଉଁ ବୈଷୟିକ, ଶାରୀରିକ, ମାନସିକ ଓ ନୈତିକ ଉନ୍ନତି ଏବଂ ଜ୍ଞାନସାଧନ କରିଥାଏ, ତାହାକୁ ଆମେ ସଭ୍ୟତା ଆଖ୍ୟା ଦେଇଥାଉ ।


୯. ରୋମୀୟ ଓ ଭାରତୀୟ ସଭ୍ୟତାର ଆଦର୍ଶ ମଧ୍ଯରେ ପାର୍ଥକ୍ୟ କ'ଣ ?

 ଉତ୍ତର: ରୋମୀୟ ସଭ୍ୟତାର ଆଦର୍ଶ ଥିଲା ବୈଷୟିକ ଉନ୍ନତି ଓ ଭୋଗ । କିନ୍ତୁ ଭାରତୀୟ ସଭ୍ୟତାର ଆଦର୍ଶ ଥିଲା ତ୍ୟାଗ ଓ ଆତ୍ମସଂଯମ ।


୧୦. ଭାରତୀୟ ସଭ୍ୟତାର ଆଦର୍ଶ କ’ଣ ବୁଝ ?

 ଉତ୍ତର: ଭାରତୀୟ ସଭ୍ୟତାର ଆଦର୍ଶ ଥିଲା ତ୍ୟାଗ ଓ ଆତ୍ମସଂଯମ । ସର୍ବବିଧ ବୈଷୟିକ ଜଞ୍ଜାଳକୁ ଭାରତୀୟମାନେ ବିପଦର ହେତୁ ବୋଲି ଭାବୁଥିଲେ ।


୧୧. ଗୃହସ୍ଥର ପଥ କେତେବେଳେ ସଂପୂର୍ଣ ପୃଥକ୍ ହୋଇଯାଏ ?

 ଉତ୍ତର: ତ୍ୟାଗ ମାର୍ଗରେ ଦୀକ୍ଷିତ ହୋଇ ଯେତେବେଳେ ଗୃହସ୍ଥ ବିଷୟର ମାଲିକ ହୁଏ, ସେତେବେଳେ ଭୋଗମାର୍ଗଗାମୀ ଜାତିଠାରୁ ତା’ର ପଥ ସମ୍ପୂର୍ଣ୍ଣ ପୃଥକ୍ ହୋଇଯାଏ ।


୧୨. ବର୍ତ୍ତମାନର ପୃଥ‌ିବୀରେ ସଭ୍ୟତାର ଆଦର୍ଶଟି କ’ଣ ?

 ଉତ୍ତର: ବର୍ତ୍ତମାନର ପୃଥିବୀରେ ସଭ୍ୟତାର ଆଦର୍ଶ ହେଉଛି, ମାନବର ସର୍ବାଙ୍ଗୀନ ଉନ୍ନତି ସାଧନ । ଏହା ସହିତ ବିଶ୍ୱ ମାନବିକତାର ପ୍ରତିଷ୍ଠାନ ଓ ସୃଷ୍ଟି ରହସ୍ୟର ଉଦ୍‌ଘାଟନ ହିଁ ବର୍ତ୍ତମାନ ସଭ୍ୟତାର ଆଦର୍ଶ ।


୧୩. ଜଡ଼ ବିଜ୍ଞାନ କେତେ ଭାଗରେ ବିଭକ୍ତ ଓ କ'ଣ କ'ଣ ?

 ଉତ୍ତର: ଜଡ଼ବିଜ୍ଞାନ ଦୁଇ ଭାଗରେ ବିଭକ୍ତ— ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନ ।


୧୪. ଆମେ କେଉଁ ଉପକରଣରୁ ବୈଷୟିକ ସୁଖ ସମୃଦ୍ଧି ଲାଭ କରିଥାଉଁ ?

 ଉତ୍ତର: ଆମେ ରେଳ, ମଟର, ଉଡ଼ାଜାହାଜ, ବୁଡ଼ାଜାହାଜ, ବେତାର ଯନ୍ତ୍ର, ରେଡ଼ିଓ, ଟେଲିଭିଜନ, ଟେଲିଫୋନ୍ ପ୍ରଭୃତି ବିବିଧ ଉପକରଣରୁ ବୈଷୟିକ ସୁଖ ସମୃଦ୍ଧି ଲାଭ କରିଥାଉଁ ।


୧୫. ଜୀବ ବିଜ୍ଞାନର ଚର୍ଚ୍ଚାରୁ କି ସନ୍ଧାନ ମିଳିଥାଏ ?

 ଉତ୍ତର: ଜୀବ ବିଜ୍ଞାନର ଚର୍ଚ୍ଚାରୁ ପ୍ରାଣୀର ବିଭିନ୍ନ ଗଠନ, ପ୍ରକ୍ରିୟା ଓ କେଉଁ ଶକ୍ତିବଳରେ ସେମାନେ ଜୀବନର ଅଧିକାରୀ ହୋଇଅଛନ୍ତି, ତାହାର ସନ୍ଧାନ ମିଳିଥାଏ ।


୧୬. ଆମ୍ଭମାନଙ୍କର ଜ୍ଞାନର ସୀମା କିପରି ବିସ୍ତୃତ କରିଥାଉଁ ?

 ଉତ୍ତର: ଜଡ଼ ଓ ଜୀବବିଜ୍ଞାନର ସମ୍ମିଶ୍ରଣ ଓ ସହଯୋଗିତାରୁ ଆମେ ଶରୀରତତ୍ତ୍ଵ, ଆୟୁର୍ବେଦ (ଡାକ୍ତରୀ), ମନସ୍ତତ୍ତ୍ଵ, କୃଷି ବିଜ୍ଞାନ, ପୃଥିବୀତତ୍ତ୍ବ, ଜ୍ୟୋତିଷ ପ୍ରଭୃତି ନାନାବିଧ ଶାସ୍ତ୍ରବଳରେ ଆମମାନଙ୍କ ଜ୍ଞାନର ସୀମା ବିସ୍ତୃତ କରି ପାରିଥାଇଁ ।


୧୭. ଜୀବବିଜ୍ଞାନରୁ ଜୀବନ୍ତର ଶରୀର ସଂପର୍କରେ ଧାରଣା ମିଳେ ?

 ଉତ୍ତର: ଜୀବବିଜ୍ଞାନ ଆଲୋଚନାରୁ ଆମେ ଦେଖୁଥାଇଁ ଯେ, ଜୀବନ୍ତର ଶରୀର କେବଳ ବିଭିନ୍ନ ଜଡ଼ ଉପାଦାନରେ ଗଠିତ ।


୧୮. ବୈଜ୍ଞାନିକମାନେ ମାନବକୁ ଧ୍ବଂସ ପଥର ପଥୁକ କରୁଛନ୍ତି ବୋଲି ଲେଖକ କାହିଁକି କହିଛନ୍ତି ?

 ଉତ୍ତର: କାରଣ ବୈଜ୍ଞାନିକମାନେ ମାରାତ୍ମକ ଗ୍ୟାସ ଓ ବିସ୍ଫୋରକର ଉଦ୍ଭାବନ କରି ମାନବକୁ ଧ୍ୱଂସ ପଥର ପଥକ କରୁଅଛନ୍ତି ।


୧୯. ମୈତ୍ରୀର ଧ୍ଵଜା କେତେବେଳେ ଉଡ଼ିବ ବୋଲି ପ୍ରବନ୍ଧରେ କୁହାଯାଇଛି ?

 ଉତ୍ତର: ଯେତେବେଳେ ଆଧୁନିକ ସଭ୍ୟତାର ଆଦର୍ଶ ପ୍ରତ୍ୟେକେ ଜାଣିବେ, ସେତେବେଳେ ମୈତ୍ରୀର ଧ୍ଵଜା ଉଡ଼ିବ ବୋଲି ପ୍ରବନ୍ଧରେ କୁହାଯାଇଛି ।


୨୦. ବିଜ୍ଞାନର ଅନ୍ଧକାର ସ୍ଥାନଟି ଅପସାରିତ ହେଲେ କ’ଣ ହେବ ବୋଲି ଲେଖକ କହିଛନ୍ତି ?

 ଉତ୍ତର: ବିଜ୍ଞାନର ଅନ୍ଧକାର ଦିଗଟି ଅପସାରିତ ହୋଇଗଲେ, କେବଳ ଆଲୋକମୟ ପ୍ରଭାବ ରହିବ ବୋଲି ଲେଖକ କହିଛନ୍ତି ।

ସପ୍ରସଙ୍ଗ ସରଳାର୍ଥ :

୨୧. ତ୍ୟାଗ ମାର୍ଗରେ ଦୀକ୍ଷିତ ହୋଇ ଯେତେବେଳେ ସେ ବିଷୟରେ ମାଲିକ ହୁଏ, ତେତେବେଳେ ଭୋଗ ମାର୍ଗଗାମୀ ଜାତିଠାରୁ ତା’ର ପଥ ସଂପୂର୍ଣ୍ଣ ପୃଥକ୍ ହୋଇଯାଏ ।

 ଉତ୍ତର: ସଂଦର୍ଭ: ଉକ୍ତ ଗଦ୍ୟାଂଶଟି ପ୍ରାବନ୍ଧିକ ବଂଶୀଧର ସାମନ୍ତରାୟଙ୍କ ରଚିତ 'ସଭ୍ୟତା ଓ ବିଜ୍ଞାନ' ପ୍ରବନ୍ଧରୁ ଆନୀତ । ଏଠାରେ ପ୍ରାବନ୍ଧିକ ଭାରତୀୟ ସଭ୍ୟତାର ତ୍ୟାଗମାର୍ଗ ଓ ପାଶ୍ଚାତ୍ୟ ସଭ୍ୟତାର ଭୋଗମାର୍ଗ ମଧ୍ୟରେ ଥିବା ପାର୍ଥକ୍ୟକୁ ଦର୍ଶାଇଛନ୍ତି । ବ୍ୟାଖ୍ୟା: ପ୍ରାବନ୍ଧିକଙ୍କ ମତରେ, ପ୍ରାଚୀନ ଗ୍ରୀସ୍ ଓ ରୋମ୍‌ର ସଭ୍ୟତା ଭୋଗ ପ୍ରଧାନ ଥିଲା । କିନ୍ତୁ ଭାରତୀୟ ସଭ୍ୟତାର ଆଦର୍ଶ ଥିଲା ତ୍ୟାଗ ଓ ଆତ୍ମସଂଯମ । ଯେତେବେଳେ ଜଣେ ଗୃହସ୍ଥ ବା ବ୍ୟକ୍ତି ତ୍ୟାଗ ମାର୍ଗରେ ଦୀକ୍ଷିତ ହୋଇ ବିଷୟ ବା ବସ୍ତୁ ଉପରେ ନିୟନ୍ତ୍ରଣ ହାସଲ କରେ ଅର୍ଥାତ୍ ତା’ର ମାଲିକ ହୁଏ, ସେତେବେଳେ ତା’ର ପଥ ଭୋଗମାର୍ଗକୁ ଅନୁସରଣ କରୁଥିବା ଜାତିଠାରୁ ସମ୍ପୂର୍ଣ୍ଣ ପୃଥକ୍ ବା ଅଲଗା ହୋଇଯାଏ ।


୨୨. ଭାରତର ବୈଶିଷ୍ଟ୍ୟ ତା’ର ଆଧ୍ୟାତ୍ମିକତା ।

ଉତ୍ତର: ସଂଦର୍ଭ: ଉକ୍ତ ଗଦ୍ୟାଂଶଟି ପ୍ରାବନ୍ଧିକ ବଂଶୀଧର ସାମନ୍ତରାୟଙ୍କ ରଚିତ 'ସଭ୍ୟତା ଓ ବିଜ୍ଞାନ' ପ୍ରବନ୍ଧରୁ ଉଦ୍ଧୃତ । ଏଠାରେ ଲେଖକ ଭାରତୀୟ ସଭ୍ୟତାର ମୂଳ ଆଦର୍ଶ ସମ୍ପର୍କରେ ମତବ୍ୟକ୍ତ କରିଛନ୍ତି । ବ୍ୟାଖ୍ୟା: ପ୍ରାବନ୍ଧିକ ବିଭିନ୍ନ ପ୍ରାଚୀନ ସଭ୍ୟତାର ତୁଳନା କରି କହିଛନ୍ତି ଯେ ଗ୍ରୀସ୍ ଓ ରୋମ୍‌ର ସଭ୍ୟତା ଭୋଗମାର୍ଗଗାମୀ ଥିଲା । ମାତ୍ର ଭାରତୀୟ ସଭ୍ୟତା ତ୍ୟାଗ ଓ ଆତ୍ମସଂଯମ ଉପରେ ପର୍ଯ୍ୟବସିତ ଥିଲା । ଭାରତର ବୈଷୟିକ ଉନ୍ନତି ଇଚ୍ଛାକୃତ ନ ହୋଇ ତ୍ୟାଗମାର୍ଗର ସ୍ଵତଃସମ୍ଭୂତ ଫଳ ଥିଲା । ତେଣୁ ପ୍ରାବନ୍ଧିକ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଭାରତର ପ୍ରକୃତ ବୈଶିଷ୍ଟ୍ୟ ବା ସ୍ଵତନ୍ତ୍ରତା ହେଉଛି ତା’ର ଆଧ୍ୟାତ୍ମିକତା ।


୨୩. ଏହାର ଶେଷ ଫଳ କ’ଣ ହେବ, ତାହା ଭବିଷ୍ୟତ ଗର୍ଭରେ ନିହିତ, ବର୍ତ୍ତମାନ କେବଳ ପରୀକ୍ଷଣ ହିଁ ଚାଲିଛି ।

 ଉତ୍ତର: ସଂଦର୍ଭ: ଉକ୍ତ ଗଦ୍ୟାଂଶଟି 'ସଭ୍ୟତା ଓ ବିଜ୍ଞାନ' ପ୍ରବନ୍ଧରୁ ଆନୀତ । ଏଠାରେ ପ୍ରାବନ୍ଧିକ ଆଧୁନିକ ସଭ୍ୟତାର ଗତିପଥ ଓ ତା’ର ପରିଣତି ବିଷୟରେ ମତ ଦେଇଛନ୍ତି । ବ୍ୟାଖ୍ୟା: ଲେଖକଙ୍କ ମତରେ, ଆଧୁନିକ ସଭ୍ୟତା ଏପର୍ଯ୍ୟନ୍ତ ତା’ର ଲକ୍ଷ୍ୟସ୍ଥଳ ବା ଉଚ୍ଚତମ ସୋପାନରେ ପହଞ୍ଚିପାରି ନାହିଁ । ଏହି ଲକ୍ଷ୍ୟରେ ପହଞ୍ଚିବା ପାଇଁ ବହୁ ସମୟ ଲାଗିବ ବୋଲି ଅନୁମାନ କରାଯାଉଛି । ତେଣୁ, ଆଧୁନିକ ସଭ୍ୟତାର ଶେଷ ପରିଣତି ବା ଫଳାଫଳ କ’ଣ ହେବ, ତାହା ବର୍ତ୍ତମାନ କହିହେବ ନାହିଁ, ତାହା ଭବିଷ୍ୟତ ଗର୍ଭରେ ହିଁ ଲୁଚି ରହିଛି । ବର୍ତ୍ତମାନ ସମୟରେ କେବଳ ଏହାର ପରୀକ୍ଷଣ ହିଁ ଚାଲିଛି ।


୨୪. ବିରାଟ ସାଗର ଆଜି ଦୁର୍ଲଙ୍ଘା ହୋଇନାହିଁ କି ତୁଙ୍ଗ ହିମାଳୟ ଦୁରୂହ ହୋଇ ରହିନାହିଁ ।

ଉତ୍ତର: ସଂଦର୍ଭ: ଉକ୍ତ ଗଦ୍ୟାଂଶଟି 'ସଭ୍ୟତା ଓ ବିଜ୍ଞାନ' ପ୍ରବନ୍ଧରୁ ଗୃହୀତ । ଏଠାରେ ପ୍ରାବନ୍ଧିକ ଆଧୁନିକ ସଭ୍ୟତା ଉପରେ ବିଜ୍ଞାନର ଅବଦାନ ଓ ପ୍ରଭାବ ବିଷୟରେ ବର୍ଣ୍ଣନା କରିଛନ୍ତି । ବ୍ୟାଖ୍ୟା: ପ୍ରାବନ୍ଧିକ କହନ୍ତି ଯେ ଆଧୁନିକ ସଭ୍ୟତା ବିଜ୍ଞାନକୁ ହିଁ ଅବଲମ୍ବନ କରିଛି । ଜଡ଼ବିଜ୍ଞାନ ବଳରେ ଆମେ ରେଳ, ମଟର, ଉଡ଼ାଜାହାଜ, ବୁଡ଼ାଜାହାଜ ଆଦି ଅନେକ ଉପକରଣ ପାଇ ବୈଷୟିକ ସୁଖ ସମୃଦ୍ଧି ହାସଲ କରିଛୁ । ଏହି ବୈଜ୍ଞାନିକ ଉନ୍ନତି ଫଳରେ ମଣିଷ ପାଇଁ ଆଜି ବିରାଟ ସମୁଦ୍ରକୁ ପାରି ହେବା 'ଦୁର୍ଲଙ୍ଘା' ବା କଷ୍ଟକର ହୋଇନାହିଁ, କିମ୍ବା ଉଚ୍ଚ ହିମାଳୟ ପର୍ବତ ଚଢ଼ିବା 'ଦୁରୂହ' ବା କଷ୍ଟସାଧ୍ୟ ହୋଇ ରହିନାହିଁ ।

ଦୀର୍ଘ ଉତ୍ତରମୂଳକ :

୨୫. ସଭ୍ୟତାର ବିକାଶରେ ବିଜ୍ଞାନର ଥିବା ଅବଦାନ ପଠିତ ପ୍ରବନ୍ଧ ଅନୁସରଣରେ ଆଲୋଚନା କର ।


ଉତ୍ତର: 'ସଭ୍ୟତା ଓ ବିଜ୍ଞାନ' ପ୍ରବନ୍ଧରେ ଲେଖକ ବଂଶୀଧର ସାମନ୍ତରାୟ ସଭ୍ୟତାର ବିକାଶରେ ବିଜ୍ଞାନର ଅବଦାନକୁ ସ୍ପଷ୍ଟ ଭାବରେ ଦର୍ଶାଇଛନ୍ତି । ତାଙ୍କ ମତରେ, ଆଧୁନିକ ସଭ୍ୟତା ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ବିଜ୍ଞାନକୁ ହିଁ ଅବଲମ୍ବନ କରିଛି । ପ୍ରଥମତଃ, ଜଡ଼ବିଜ୍ଞାନ (ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନ) ଗଣିତ ଶାସ୍ତ୍ର ବଳରେ ଜଟିଳ ସମସ୍ୟାମାନ ସମାଧାନ କରିଛି । ଏହା ଆମକୁ ରେଳ, ମଟର, ଉଡ଼ାଜାହାଜ, ବୁଡ଼ାଜାହାଜ, ବେତାର ଯନ୍ତ୍ର, ରେଡ଼ିଓ ଓ ଟେଲିଭିଜନ ଭଳି ଉପକରଣ ଦେଇ ବୈଷୟିକ ସୁଖ ସମୃଦ୍ଧି ଆଣିଛି । ବିଜ୍ଞାନ ବଳରେ ଆଜି ମଣିଷ ପାଇଁ ସାଗର ଦୁର୍ଲଙ୍ଘା ବା ହିମାଳୟ ଦୁରୂହ ହୋଇ ରହିନାହିଁ । ଦ୍ୱିତୀୟତଃ, ଜୀବବିଜ୍ଞାନ (ପ୍ରାଣୀବିଜ୍ଞାନ ଓ ଉଦ୍ଭିଦ ବିଜ୍ଞାନ) ଆମକୁ ଜୀବନ୍ତ ବସ୍ତୁର ଗଠନ ଓ ପ୍ରକ୍ରିୟା ବିଷୟରେ ଜ୍ଞାନ ଦେଇଛି । ଜଡ଼ ଓ ଜୀବବିଜ୍ଞାନର ସମ୍ମିଶ୍ରଣରୁ ଶରୀରତତ୍ତ୍ଵ, ଆୟୁର୍ବେଦ (ଡାକ୍ତରୀ), ମନସ୍ତତ୍ତ୍ଵ ଓ କୃଷି ବିଜ୍ଞାନ ଭଳି ଶାସ୍ତ୍ରର ଉନ୍ନତି ଘଟିଛି । ଏହି ବିଜ୍ଞାନ ବଳରେ ଆମେ ଆମର ଶାରୀରିକ ଓ ମାନସିକ ଉନ୍ନତି କରିବା ସହ ବିଭିନ୍ନ ରୋଗ କବଳରୁ ମୁକ୍ତି ଲାଭ କରୁଛୁ । ଏହିପରି ଭାବରେ, ବିଜ୍ଞାନ ହିଁ ମାନବ ସଭ୍ୟତାର ସର୍ବାଙ୍ଗୀନ ଉନ୍ନତି ପାଇଁ ପଥପ୍ରଦର୍ଶକ ସାଜିଛି ।


୨୬. ଭାରତୀୟ ସଭ୍ୟତା ଓ ବାହ୍ୟ ସଭ୍ୟତା ସଂପର୍କରେ ଲେଖକଙ୍କ ଦୃଷ୍ଟିଭଙ୍ଗୀ ପ୍ରତିପାଦନ କର ।


 ଉତ୍ତର: ପ୍ରାବନ୍ଧିକ 'ସଭ୍ୟତା ଓ ବିଜ୍ଞାନ' ପ୍ରବନ୍ଧରେ ଭାରତୀୟ ସଭ୍ୟତା ଓ ବାହ୍ୟ ସଭ୍ୟତା (ଯଥା: ଗ୍ରୀସୀୟ ଓ ରୋମୀୟ) ମଧ୍ୟରେ ଥିବା ମୌଳିକ ପାର୍ଥକ୍ୟକୁ ଦର୍ଶାଇଛନ୍ତି । ଲେଖକଙ୍କ ମତରେ, ପ୍ରାଚୀନ ରୋମୀୟ ଓ ଗ୍ରୀସୀୟ ସଭ୍ୟତାର ଆଦର୍ଶ ଥିଲା 'ଭୋଗ' । ସେମାନେ ଯାବତୀୟ ବୈଷୟିକ ଉନ୍ନତିକୁ ହିଁ ସଭ୍ୟତାର ଆଦର୍ଶ ରୂପେ ଗ୍ରହଣ କରିଥିଲେ । ଏହାର ବିପରୀତରେ, ଭାରତୀୟ ସଭ୍ୟତାର ଆଦର୍ଶ ଥିଲା 'ତ୍ୟାଗ ଓ ଆତ୍ମସଂଯମ' । ଭାରତୀୟମାନେ ବୈଷୟିକ ଜଞ୍ଜାଳକୁ ବିପଦର କାରଣ ବୋଲି ମନେ କରୁଥିଲେ । ଲେଖକ ସ୍ପଷ୍ଟ କରନ୍ତି ଯେ, ଭାରତର ବୈଷୟିକ ଉନ୍ନତି ଗ୍ରୀସ୍ ବା ରୋମ୍‌ଠାରୁ କୌଣସି ଗୁଣରେ କମ୍ ନଥିଲା, କିନ୍ତୁ ସେହି ଉନ୍ନତି ଇଚ୍ଛାକୃତ ନ ହୋଇ, ତ୍ୟାଗମାର୍ଗର ଏକ 'ସ୍ଵତଃସମ୍ଭୂତ ଫଳ' ମାତ୍ର ଥିଲା । ଯେତେବେଳେ ଭୋଗମାର୍ଗଗାମୀ ଜାତି ବିଷୟ ବସ୍ତୁର ଦାସ ହୋଇଥାଏ, ତ୍ୟାଗ ମାର୍ଗରେ ଦୀକ୍ଷିତ ଭାରତୀୟ ଗୃହସ୍ଥ ସେହି ବିଷୟର ମାଲିକ ହୋଇଥାଏ, ତେଣୁ ତା’ର ପଥ ସମ୍ପୂର୍ଣ୍ଣ ପୃଥକ୍ ହୋଇଯାଏ । ତେଣୁ ଲେଖକଙ୍କ ଦୃଷ୍ଟିରେ, ଭାରତର ପ୍ରକୃତ ବୈଶିଷ୍ଟ୍ୟ ହେଉଛି ତା’ର 'ଆଧ୍ୟାତ୍ମିକତା' ।


୨୭. ‘ସଭ୍ୟତା ଓ ବିଜ୍ଞାନ ପରସ୍ପର ଆଶ୍ରୟୀ’ – ଏହାର ଯଥାର୍ଥତା ନିଜର ଅନୁଭୂତିରୁ ଲେଖ ।


 ଉତ୍ତର: 'ସଭ୍ୟତା ଓ ବିଜ୍ଞାନ' ପ୍ରବନ୍ଧଟି ପାଠ କଲା ପରେ ଏହା ସ୍ପଷ୍ଟ ହୁଏ ଯେ, ସଭ୍ୟତା ଓ ବିଜ୍ଞାନ ପ୍ରକୃତରେ ପରସ୍ପର ଆଶ୍ରୟୀ । ପ୍ରାବନ୍ଧିକଙ୍କ ମତରେ, ସଭ୍ୟତା ହେଉଛି ମାନବର ସର୍ବାଙ୍ଗୀନ ଉନ୍ନତି ଏବଂ ଆଧୁନିକ ସଭ୍ୟତା ଏହି ଉନ୍ନତି ପାଇଁ 'ବିଜ୍ଞାନକୁ ହିଁ ଅବଲମ୍ବନ' କରିଛି । ଆମେ ଆମର ଚତୁର୍ପାର୍ଶ୍ଵରେ ଏହାର ପ୍ରମାଣ ଦେଖିପାରୁ । ଆଜି ଆମେ ଯେଉଁ ଉନ୍ନତ ଚିକିତ୍ସା ସେବା ପାଇ ରୋଗମୁକ୍ତ ହେଉଛୁ, ତାହା ଜୀବବିଜ୍ଞାନର ଅବଦାନ । ଆମେ ରେଳ, ମଟର ଓ ଉଡ଼ାଜାହାଜରେ ଯାତାୟାତ କରି ସମୟ ଓ ଦୂରତାକୁ ଜୟ କରୁଛୁ, ତାହା ଜଡ଼ବିଜ୍ଞାନର ଫଳ । ଏହିସବୁ ବୈଷୟିକ ଉନ୍ନତି ହିଁ ଆମ ସଭ୍ୟତାକୁ ଅଧିକ ସମୃଦ୍ଧ କରିଛି । ଅପରପକ୍ଷେ, ବିଜ୍ଞାନର ଉନ୍ନତି ମଧ୍ୟ ସଭ୍ୟତାର ଆବଶ୍ୟକତା ଉପରେ ନିର୍ଭର କରେ । ମଣିଷ ସଭ୍ୟ ହୋଇ ସୁଖରେ ରହିବାକୁ ଚାହିଁଲା ବୋଲି ବିଜ୍ଞାନର ଆବଶ୍ୟକତା ପଡ଼ିଲା । ତେଣୁ, ବିଜ୍ଞାନ ହେଉଛି ସଭ୍ୟତାର ଲକ୍ଷ୍ୟସ୍ଥଳରେ ପହଞ୍ଚିବାର 'ପଥପ୍ରଦର୍ଶକ' । ବିଜ୍ଞାନ ବିନା ଆଧୁନିକ ସଭ୍ୟତା ପଙ୍ଗୁ ଏବଂ ସଭ୍ୟତାର ଆବଶ୍ୟକତା ବିନା ବିଜ୍ଞାନର ପ୍ରଗତି ଅର୍ଥହୀନ । ତେଣୁ ଏହି ଦୁଇଟି ପରସ୍ପର ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ।